ମୁମ୍ବାଇ: ଡିସେମ୍ବର ୨୦: ପାନାମା ପେପର୍ସ ଲିକ୍ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ସମନ ପଠାଇଛି । ତାଙ୍କୁ ପଚରାଉଚରା ପାଇଁ ଇଡି ଡକାଇଛି । ଏହି ସମନ ଅନୁସାରେ, ଆଜି ଐଶ୍ୱର୍ଯ୍ୟା ଦିଲ୍ଲୀର ଲୋକନାୟକ ଭବନରେ ଇଡି ଅଫିସରେ ହାଜର ହୋଇଥାନ୍ତେ, ହେଲେ କୌଣସି ବ୍ୟକ୍ତିଗତ କାମ ପାଇଁ ସେ ହାଜର ହେବାକୁ ମନା କରିଛନ୍ତି । ଖୁବ୍ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି ସୂଚନା ମିଳିଛି ।
ଐଶ୍ୱର୍ଯ୍ୟାଙ୍କୁ ପୂର୍ବରୁ ଏହି ମାମଲାରେ ମଧ୍ୟ ଦୁଇଥର ଡକାଯାଇଥିଲା । ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ । ଚଳିତ ବର୍ଷ ନଭେମ୍ବର ୯ରେ ଇଡି ତାଙ୍କୁ ଧାରା ୩୭ ଫେମା ଜରିଆରେ ସମନ କରିଥିଲା । ୧୫ ଦିନ ଭିତରେ ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇ-ମେଲ ମାଧ୍ୟମରେ ସମନର ଉତ୍ତର ଦେଇଥିଲେ ।
ସୂଚନା ଥାଉଯେ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକୁ୍ୟମେଣ୍ଟ୍ (ମୋସାକ୍ ଫୋନେ୍ସକା) ଲିକ୍ ହୋଇଥିଲା । ଏହି ଲିକ୍ ମାମଲା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ଜଣାପଡ଼ିଥିଲା । ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାମ ରହିଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ନାମ ସାମିଲ ରହିଥିଲା । ଉକ୍ତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଦଳ ଗଠନ କରି ଏହି ମାମଲାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦଳ ମଧ୍ୟରେ ସିବିଡିଟି, ଆର୍ବିଆଇ , ଇଡି ଏବଂ ଏଫ୍ଆଇୟୁ ସାମିଲ କରାଯାଇଥିଲା ।

Comments are closed.