ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ବିସ୍ପୋରଣ ଏତେ ବଡ଼ ଧରଣର ନଥିଲା । ତେବେ କୋର୍ଟରେ ଗୁଳିକାଣ୍ଡ ହୋଇଛି ବୋଲି ଲୋକମାନଙ୍କ ମଧ୍ୟରେ ଗୁଜବ ଉଠିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଥାଉଯେ, ରୋହିଣୀ କୋର୍ଟରେ ଗହଳି ଥିବା ସମୟରେ ସର୍ଟ ସର୍କିଟ ହେତୁ ଏକ ଲାପଟପରେ ବିସ୍ପୋରଣ ଘଟିଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ରୋହିଣୀ ଜିଲ୍ଲାର ଡିସିପି ଏବଂ ଏସିପି ଆରତୀ ଶର୍ମା ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
କହିରଖୁ କି, କିଛି ମାସ ପୂର୍ବରୁ ରୋହିଣୀ କୋର୍ଟରେ ଦୁଇଜଣ ଆକ୍ରମଣକାରୀ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ପୋଲିସ ଆକ୍ରମଣକାରୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା । ଆକ୍ରମଣକାରୀମାନଙ୍କ ମଧ୍ୟ ପୋଲିସ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ଶେଷରେ ପୋଲିସ ଆକ୍ରମଣକାରୀମାନଙ୍କୁ ଘଟଣାସ୍ଥଳରେ ଗୁଳି କରି ମାରିଦେଇଥିଲା । ଏଥିରେ କୋର୍ଟ ପରିସରରେ ଏକ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା ।

Comments are closed.