ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ସୀତାପୁର ସ୍ଥିତ ଏକ ଗେଷ୍ଟହାଉସ୍ରେ ହେପାଜତରେ ରଖିଛି । ତେବେ ଏହାରି ଭିତରେ ପ୍ରିୟଙ୍କା ପ୍ରତିବାଦ ସ୍ୱରୂପ ପ୍ରଥମେ ଗେଷ୍ଟ ହାଉସରେ ଝାଡୁ ମାରିଥିଲେ । ଏହାର ଏକ ଭିଡିଓ ଟୁଇଟର୍ରେ ଭାଇରାଲ ହେବା ପରେ ପ୍ରିୟଙ୍କା ଚାଷୀଙ୍କୁ ଭେଟିବା ପାଇଁ ଆଉ ଏକ ନୀତି ଆପଣେଇଛନ୍ତି । ପୋଲିସ ହେପାଜତରେ ଥାଇ ସେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ତାଙ୍କୁ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଦିଆଯିବ ନାହିଁ ସେପର୍ଯ୍ୟନ୍ତ ସେ ଅନଶନ କରିବେ ।
ସୂଚନା ଥାଉଯେ, କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିପେନ୍ଦ୍ର ହୁzାଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କିଛି ବରିଷ୍ଠ ନେତାମାନେ ଲକ୍ଷ୍ମୀପୁର ଯାଇ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଚାହୁଁଥିଲେ । ହେଲେ ଅଧା ବାଟରୁ ସୀତାପୁରଠାରେ ପୋଲିସ ସେମାନଙ୍କୁ ଉଠାଇ ନେଇ ଏକ ଗେଷ୍ଟହାଉସ୍ରେ ହେପାଜତରେ ରଖିଥିଲା । ଲକ୍ଷ୍ମୀପୁର ହିଂସାକାଣ୍ଡକୁ ନେଇ ଏବେ ଦେଶର ରାଜନୀତିରେ ଝଡ଼ ଉଠିଛି । ଗତକାଲି ରାତିରୁ ବିରୋଧୀଦଳ ନେତାଙ୍କ ସମେତ ଅନେକ କୃଷକନେତା ଲକ୍ଷ୍ମୀପୁର ଯାଇ ମୃତ ଚାଷୀମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । ହେଲେ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କୁ ଅଧା ବାଟରୁ ଅଟକାଇ ହେପାଜତକୁ ନେଉଥିବା ଖବର ସାମ୍ନାକୁ ଆସିଛି । ପ୍ରିୟଙ୍କା ବ୍ୟତୀତ ଆପ୍ ଦଳର ସାଂସଦ ସଞ୍ଜୟ ସିଂହଙ୍କ ସହ କିଛି ଦଳୀୟ ନେତା ଏବଂ ସପା, ବିଏସ୍ପି ଭଳି କେତେକ ଦଳର ଶତାଧିକ କର୍ମୀ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ସେମାନ ସମସ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।
Comments are closed.