ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା

ଭୁବନେଶ୍ୱରରେ ୯ ରାଜ୍ୟ, ୪ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ

ଭୁବନେଶ୍ୱର : ସେପ୍‌ଟେମ୍ବର ୩୦ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ତାଲିମ ଶିବିର ଗତକାଲି ଆରମ୍ଭ ହୋଇଛି । ୯ ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି । ଓଡ଼ିଶାର ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି । ଏହା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ରୋଲ୍‌ ମଡେଲ ସାଜିଛି । ବୁଧବାରରୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀ କର୍ମଶାଳାରେ ଏହା ଆୟୋଜନ ହେଉଛି ।
ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି । ଫାଇଲିନ, ହୁଡ୍‌ହୁଡ୍‌, ତିତିଲି, ଫନି, ବୁଲ୍‌ବୁଲ୍‌, ଅମ୍ପାନ, ୟସ୍‌, ଆଉ ଏବେ ଗୁଲାବ । ଗତ ୯ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି । ଏଥିପାଇଁ ରାଜ୍ୟକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି ।

 

Comments are closed.