ଭୁବନେଶ୍ୱର : ସେପ୍ଟେମ୍ବର ୨୭: ଆଜି ସନ୍ଧ୍ୟାରେ ପିପିଲି ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ବର୍ଷା ଓ ପବନକୁ ଖାତିର ନକରି ତିନି ଦଳର ପାର୍ଥୀ ଓ ସମର୍ଥକମାନେ ଜୋର୍ଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର୍ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ବୁଲି ସଭା କରି ପ୍ରଚାର କରୁଥିବା ଦେଖାଯାଇଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପକ୍ଷରୁ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦ୍ରନ ମହାପାତ୍ର ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ମତଦାନ କାର୍ଯ୍ୟ ଆରମ୍ଭ ହେଉଥିଲା ବେଳେ ଆସନ୍ତା ମାସ ୩ରେ ଭୋଟର ଗଣତି କାର୍ଯ୍ୟ କରାଯିବ । ଏହାକୁ ନଜରେ ରଖି ସବୁ ଦଳର ଦଳୀୟ କର୍ମକର୍ତ୍ତା ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ।
ଅନ୍ୟପକ୍ଷରେ, ପିପିଲି ସାତସଙ୍ଖ ସ୍ଥିତ ବିଳମ୍ବିତ ରାତ୍ରିରେ ବିଜେପି କାର୍ଯ୍ୟାଳୟ ଉପରେ ବୋମା ମାଡ଼ କରାଯାଇଥିଲା । କାର୍ଯ୍ୟାଳୟର ଉପର ମହଲାରେ ଥିବା ଏକ ଅସ୍ଥାୟୀ ଟେଣ୍ଟ ବୋମା ମାଡ଼ରେ ସାମାନ୍ୟ ପୋଡ଼ି ଯାଇଥିଲା । ଏଥିରେ କିଛି କ୍ଷତି ହୋଇ ନଥିବା ଖବର ମିଳିଛି । ଘଟଣା ସ୍ଥଳରେ ଦଳୀୟ କର୍ମକର୍ତ୍ତା ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇବା ସହିତ ସାତସଙ୍ଖ ପୋଲିସଙ୍କୁ ଖବର ଜଣାଇଥିଲେ ।
ସୂଚନା ଥାଉଯେ, ସେପ୍ଟେମ୍ବର ୨୩ରେ ପୋଷ୍ଟଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଥିଲା । ଏହି ମତଦାନ ପ୍ରକ୍ରିୟାରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗଙ୍କ ସମେତ କରୋନା ସଂକ୍ରମିତମାନେ ମଧ୍ୟ ନିଜ ମତ ପେପର ମାଧ୍ୟମରେ ଦେଇଛନ୍ତି । ଏଥିପାଇଁ ମାଇକ୍ରୋ ଅବ୍ଜରଭର୍, ପ୍ରିଜାଇଡିଂ ଅଫିସର୍, ପୋଲିଂ ଅଧିକାରୀଙ୍କ ସମେତ ସୁରକ୍ଷାକର୍ମୀ ଘର ଘର ବୁଲି ମତ ଗ୍ରହଣ କରିବାରେ ଲାଗିଥିଲେ ।

Comments are closed.