ମୁମ୍ବାଇ: ସେପ୍ଟେମ୍ବର ୨୦: ବର୍ଷ ୨୦୦୨, ଫିଲ୍ମ ନାମ କମ୍ପାନୀ, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବଂ ବଲିଉଡ୍କୁ ମିଳିଥିଲା ଆଉ ଏକ ହିରୋଇନ ଯିଏ ରାତାରାତି କେବଳ ଗୋଟିଏ ଗୀତର ଦମ୍ରେ ଷ୍ଟାରଡମ୍ ହାସଲ କରିଥିଲେ ଏବଂ ‘ଖଲ୍ଲାସ୍’ ଗର୍ଲ ନାମରେ ପ୍ରସିଦ୍ଧ ହୋଇଥିଲେ । ସେ ହେଉଛନ୍ତି ଅଭିନେତ୍ରୀ ଈଶା କୋପିକର । ହିନ୍ଦୀ ଫିଲ୍ମରେ ଛୋଟ ଛୋଟ ଭୂମିକାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଈଶା ପରବର୍ତ୍ତୀ ସମୟରେ ସାଉଥ୍ ଫିଲ୍ମ ଆଡ଼କୁ ଅଗ୍ରସର ହୋଇଥିଲେ । ହେଲେ ‘କମ୍ପାନୀ’ ଫିଲ୍ମର ଗୀତ ‘ବଚ୍ କେ ରହନା’ ଜରିଆରେ ଈଶା ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହାପରେ ପାଖାପାଖି ୨ ଦଶକର ଲମ୍ବା କ୍ୟାରିଅରରେ ସେ ବହୁତ ଉତ୍ଥାନ ପତନ ଦେଖବାକୁ ପାଇଥିଲେ । ଏପରିକି ଆର୍ଥିକ ସ୍ଥିତି ଖରାପ ହେବାରୁ ସେ ବି ଗ୍ରେଡ୍ ଫିଲ୍ମରେ କାମ କରିବାରୁ ନେଇ କାଷ୍ଟିଂ କାଉଚ୍ ଏବଂ ନେପୋଟିଜମ ପର୍ଯ୍ୟନ୍ତ ବିବାଦରେ ଫସିଥିଲେ । ଏସବୁ ପରେ ବି ସେ ସଂଘର୍ଷ କରି ନିଜ ପରିଚୟକୁ ବଜାୟ ରଖିବାକୁ ଚେଷ୍ଟା କରିଥିଲେ । ୨୦୦୯ରେ ସେ ଟିମ୍ମି ନାରଙ୍ଗକୁ ବିବାହ କରିଥିଲେ ଏବଂ ୨୦୨୯ରେ ବିଜେପି ପାର୍ଟିରେ ଯୋଗ ଦେଇଥିଲେ । ବଲିଉଡ୍ ଇଣ୍ଡଷ୍ଟ୍ରୀରେ ସେ ଆଇଟମ୍ ଗର୍ଲ ଭାବେ ମଧ୍ୟ ଲୋକପ୍ରିୟ ହୋଇପାରିଥିଲେ । ଏହାସହ ଫିଲ୍ମ ‘ରୁଦ୍ରାକ୍ଷ’ରେ ତାଙ୍କର ବୋଲï ଭୂମିକା ମାଧ୍ୟମରେ ନିଜ ଛବିକୁ ଆହୁରି ମଜବୁତ କରିଥିଲେ । ‘କ୍ରିଷ୍ଣା କଟେଜ୍’ରେ ସେ ଜଣେ ଭୂତ ଭୂମିକାରେ ନଜର ଆସିଥିଲେ । ସଫଳତା ପରେ ବି ବିବାଦ କେବେ ତାଙ୍କର ପିଛା ଛାଡ଼ିନଥିଲା । ଫିଲ୍ମ ‘ଗର୍ଲଫ୍ରେଣ୍ଡ୍’ର ଖରାପ କଣ୍ଟେଣ୍ଟ୍ ଏବଂ କେବଳ ବୋଲï ଦୃଶ୍ୟ କାରଣରୁ ଈଶାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାପରେ ଶାହରୁଖଙ୍କ ଫିଲ୍ମ ‘ଡନ୍’ ଈଶାଙ୍କ ଭାଗ୍ୟ ବଦଳାଇଥିଲା । କିନ୍ତୁ ଏହା ପୂର୍ବରୁ ସେ ନେପୋଟିଜମର ଶିକାର ହୋଇଛନ୍ତି ବୋଲି ଏକ ଇଣ୍ଟରଭୁ୍ୟରେ କହିଥିଲେ । ଆଉ ଏକ ଇଣ୍ଟରଭୁ୍ୟରେ ସେ ୧୫ ବର୍ଷ ବୟସରେ କାଷ୍ଟିଂ କାଉଚ୍କୁ ସହିଛନ୍ତି ବୋଲି କହିଥିଲେ, ଯାହା ସେତେବେଳେ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ୨୦୧୯ରେ ବିଜେପିର ସଦସ୍ୟତା ଗ୍ରହଣ କରି ମହିଳା ମୋର୍ଚ୍ଚାର ପରିବହନ ବିଭାଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ଈଶା ଙ୍କ ଶେଷ ଫିଲ୍ମ ‘ଶବରୀ’ ଥିଲା, ଯାହା ୨୦୧୧ରେ ରିଲିଜ୍ ହୋଇଥିଲା । କିନ୍ତୁ ଏହାପରେ ସେ କେତେକ ମରାଠୀ, ତେଲୁଗୁ, କନ୍ନଡ ଫିଲ୍ମରେ କାମ କରିଥିଲେ । ହେଲେ ଏବେ ସେ ଫିଲ୍ମରୁ ଦୂରେଇ ଯାଇଛନ୍ତି ଖଲ୍ଲାସ ଗର୍ଲ ଈଶା କୋପିକର ।
Comments are closed.