ବ୍ରହ୍ମପୁର : ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ୮ ଗିରଫ । ଏହି ମାମଲାରେ ୪ ଜଣଙ୍କୁ ବିହାରରୁ ପୁଲିସ କାବୁ କରିଥିବାବେଳେ ଆଉ ୪ ଜଣଙ୍କୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଧରାଯାଇଛି । ଏକ ୟୁପିଆଇ ଟ୍ରାଞ୍ଜାକ୍ସନରୁ ବିହାରର ଅପରାଧୀ ପାଖରେ ପହଞ୍ଚିଥିଲା ପୁଲିସ । ଏହି ୮ ଜଣଙ୍କୁ ମିଶାଇ ହତ୍ୟା ଘଟଣାରେ ମୋଟ ୧୧ ଜଣ ଧରାପଡ଼ିଛନ୍ତି । ଏମାନଙ୍କୁ ମୁହାଁମୁହିଁ ବସାଇ ଜେରକରାଗଲେ ଘଟଣାର ରହସ୍ୟ ଉପରୁ ପରଦା ଉଠିପାରେ ବୋଲି ପୁଲିସ କହିଛି । ତେବେ ଏଯାଏଁ ଘଟଣାର ମୁଖ୍ୟ କାର୍ପଟଦାର କିଏ ଓ କାହିଁକି ହତ୍ୟାକାଣ୍ଡ ଘଟିଛି ଏହାର କୌଣସି ସୁରାକ ମିଳିପାରିନାହିଁ । ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ପୁଲିସ ସନ୍ଦେହ କରୁଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି ।
ବିହାରରୁ ଧରାପଡିଥିବା ସାର୍ପସୁଟର ଓ ମଧ୍ୟସ୍ଥିକୁ ଘନ ଘନ ଜେରା ଚାଲିଛି । ଅନ୍ୟମାନଙ୍କୁ ଧରି ପୁଲିସ ପହଞ୍ଚିବା ପରେ ସବୁ ସତ ପଦାକୁ ଆସିବ । ଗୋଟିଏ ୟୁପିଆଇ ଟ୍ରାଞ୍ଜାକ୍ସନ୍ ପୁଲିସକୁ ବିହାର ଲିଙ୍କ୍ ଦେଇଥିଲା ବୋଲି ଜଣାଯାଇଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ଗୋଟିଏ ରିଚାର୍ଜ ଦୋକାନରୁ ୟୁପିଆଇ ଜରିଆରେ ୯ ହଜାର ୫ଶହ ଟଙ୍କା ଘରକୁ ପଠାଇଥିଲେ । ଏହି ଟ୍ରାଞ୍ଜାକ୍ସନ ଆଧାରରେ ପୁଲିସ ଅପରାଧୀଙ୍କ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି । ହତ୍ୟା ପଛରେ ମଦ, ବାଲି, ଜମି ଓ କାଠ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୁଲିସ ।
