ନକଲି ଚେକ୍‌ ରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ

ସୋନପୁର : ନକଲି ଚେକ୍‌ ଜରିଆରେ ସୋନପୁର କଲେଜର ଏକ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡପ ହୋଇଛି । ଏହି ଘଟଣା ନେଇ ସଂପୂର୍ଣ୍ଣ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ସୋନପୁର ଥାନାରେ ୧୧୮ / ୨୨ ନେଇ ଏକ ମାମଲା ରୁଜୁ ହୋଇଛି । ସୋନପୁର ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଆରମ୍ଭ ରଖିଛି । ଏହି ଠକେଇ ଘଟଣାରେ ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

ସୋନପୁର କଲେଜର ଭିତ୍ତିଭୂମିର ବିକାଶ ପାଇଁ ଆଇଡିପି ବିଶ୍ୱବ୍ୟାଙ୍କ ସହାୟତାରେ କାମ ଚାଲିଛି । ମିଳିଥିବା ଅନୁଦାନକୁ ବ୍ୟାଙ୍କ ଅଫ ବରୋଦା ସୋନପୁର ଶାଖାରେ କଲେଜ କର୍ତ୍ତୃପକ୍ଷ ଜମା କରିଥିଲେ । ଗତ ୭ ତାରିଖରେ ଏକ ନକଲି ଚେକ୍‌ ଜରିଆରେ ଉକ୍ତ ଜମାଖାତାରୁ ଟଙ୍କା ଉଠାଯାଇଛି । ଗୁରୁବାର କଲେଜର ଜମାଖାତା ଅପଡେଟ୍‌ କରିବା ସମୟରେ ଏହି ଘଟଣା ଜଣା ପଡିଥିଲା । କଲେଜର ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ଏ ସମ୍ପର୍କରେ କଲେଜ ପରିଚାଳନା କମିଟିର ସଭାପତି ତଥା ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ପୂର୍ବତନ ଅଧ୍ୟକ୍ଷଙ୍କ ମୋବାଇଲ ହ୍ୟାକ କରି ଏହି ଟଙ୍କା ଉଠା ଯାଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଚେକ୍‌ କଲେଜ ଅଧ୍ୟକ୍ଷ ଦସ୍ତଖତ କରି ନ ଥିବା ବେଳେ ଯେଉଁ ଚେକ୍‌ ଟଙ୍କା ଉଠିଛି ସେଥିରେ ଓଭର ରାଇଟିଂ ହୋଇଛି । ତେଣୁ କେଉଁ ପରି ଏଭଳି ନକଲି ଚେକ୍‌ ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏତେବଡ଼ ଅର୍ଥ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ପଶ୍ଚିମବଙ୍ଗର କୁଚବିହାରର ଏକ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ଆରଟିଜିଏସ ମାଧ୍ୟମରେ ଉକ୍ତ ଅର୍ଥ ଟ୍ରାନ୍ସଫର ହୋଇଥିବାର ପୋଲିସ ସୂତ୍ରରୁ ତଦନ୍ତରୁ ଜଣାପଡିଛି । ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣାର ଅପରାଧୀ ଧରିବା ପାଇଁ ଏସପି ଅମରେଶ କୁମାର ପଣ୍ଡା ତଦନ୍ତକୁ ବ୍ୟାପକ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓ ମାଷ୍ଟର ମାଇଣ୍ଡଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୁବର୍ଣ୍ଣପୁର ଏସପି କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.