ଭୁବନେଶ୍ୱର: ମେ ୨୫: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଥିଲା । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯିବା ସହିତ ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଗୁରୁତର ୧୫ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଟୁରିଷ୍ଟ ବସ୍ଟି ଫୁଲବାଣୀ ଦାରିଙ୍ଗବାଡ଼ିରୁ ଭାଇଜାଗ୍ ଅଭିମୁଖେ ଯାଉଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା ।
ତେବେ ଏଥିରୁ ସାମାନ୍ୟ ଆହତ ହୋଇ ବର୍ତ୍ତି ଯାଇଥିବା ବସ୍ ଡ୍ରାଇଭର ଅତି ଦୁଃଖରେ ବସ୍ ଦୁର୍ଘଟଣା ଘଟଣା ବିଷୟରେ ବଖାଣଇଛନ୍ତି । ସେ କହିଛନ୍ତି,କଳିଙ୍ଗା ଘାଟି ପୂର୍ବରୁ ଆମେ ଖାଇବା ଖାଇଥିଲୁ । ଏହାପରେ ଗାଡ଼ି ଛାଡ଼ିଥିଲା । ତେବେ ଦୁର୍ଗାପ୍ରସାଦରୁ ୨ କି.ମି. ପୂର୍ବରୁ ଗାଡ଼ିର ବ୍ରେକ୍ ଆଉ କାମ କରିନଥିଲା । ଗାଡ଼ିର ବ୍ରେକ୍ ଫେଲ୍ ହେବାନେଇ ଯାତ୍ରୀଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା । କଳିଙ୍ଗା ଘାଟିରୁ ୮ କି.ମି. ତଳକୁ ସମସ୍ତେ ଚାଲି ଚାଲି ଆସିଥୁଲୁ । ଆଉ ୨ କି.ମି. ଯିବା ପରେ ଘାଟି ରାସ୍ତା ଶେଷ ହୋଇଥାନ୍ତା । ହେଲେ ତା’ପୂର୍ବରୁ ଏହି ଭୟଙ୍କର ଘଟଣା ଘଟିଥିଲା । ବ୍ରେକ୍ ଫେଲ୍ ଯୋଗୁ ଗାଡ଼ି ପୁରା ଓଲଟି ପଡ଼ିଥିଲା । ସତ ଚେଷ୍ଟା କଲେ ମଧ୍ୟ ବସ୍କୁ ଅଟକାଇ ପାରି ନଥିଲୁ ।
ଭଞ୍ଜନଗର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି । ବସ୍ରେ ଥିଲେ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ମିଶାଇ ୭୭ ଜଣ ଯାତ୍ରୀ ଥିଲେ ।

Comments are closed.