ଭୁବନେଶ୍ୱର : ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ I ଲଘୁଚାପ ପରେ ପରେ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ୪୮ ଘଣ୍ଟା ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆଗାମୀ ୫ରୁ ୭ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ମୌସୁମୀ ଟ୍ରଫ ସକ୍ରିୟ ନରହିବାରୁ ଆଗାମୀ ୨ ସପ୍ତାହ ଯାଏଁ ରାଜ୍ୟରେ କମିବ ବର୍ଷାର ପରିମାଣ I ଅଣସେଚିତ ଜମିରେ ପାଣି ସମସ୍ୟା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଗୁରୁବାର ନୟାଗଡ଼ରେ ସର୍ବାଧିକ ୪୯.୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୪୫.୨, ତାଳଚେର ୩୫.୦, ବାରିପଦା ୩୦.୨,ନବରଙ୍ଗପୁରରେ ୧୬.୪ ମିମି ବର୍ଷା ହୋଇଛି। ତେବେ ରାଜ୍ୟରେ ଆହୁରି ୨ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ସେହିପରି ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ରହିଛି। ଶନିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି।

Comments are closed.