ମୋହାଲି: ପଞ୍ଜାବର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଲାଞ୍ଚ ନେବା ବେଳେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି। ଉକ୍ତ ଆଇପିଏସ୍ ଅଫିସର ହେଉଛନ୍ତି ରୋପଡ଼ ରେଞ୍ଜ ଡିଆଇଜି ହରଚରନ ସିଂହ ଭୁଲ୍ଲର। ନିଜ କାର୍ଯ୍ୟାଳୟରେ ସେ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଏକ ବିବାଦର ସମାଧାନ ପାଇଁ ଭୁଲ୍ଲର ୮ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗକାରୀ କହିଥିଲେ। ଭୁଲ୍ଲର ମୋହାଲି କାର୍ଯ୍ୟାଳୟକୁ ଅଭିଯୋଗକାରୀଙ୍କୁ ଡାକିଥିବା ବେଳେ ସିବିଆଇ ଚଢ଼ଉ କରିଥିଲା। ଡିଆଇଜିଙ୍କ ସମ୍ପର୍କରେ ଥିବା ଆଉ ଜଣେ ମଧ୍ୟସ୍ଥି ମଧ୍ୟ ଗିରଫ ହୋଇଛନ୍ତି। ଭୁଲ୍ଲରଙ୍କ ଘର, କାର୍ଯ୍ୟାଳୟ ଓ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇ ନଗଦ ୫ କୋଟି ଟଙ୍କା, ୧.୫ କେଜି ଓଜନର ଅଳଙ୍କାର, ଅନେକ ଜମିଜମା କାଗଜପତ୍ର, ୨ ଟି ଦାମୀ କାର୍, ୨୨ଟି ଦାମୀ ହାତଘଣ୍ଟା, ଅନେକ ଲକର ଚାବି, ୪୦ ଲିଟର ବିଦେଶୀ ମଦ ଓ ଅନେକ ବନ୍ଧୁକ ଜବତ କରାଯାଇଛି। ଏହି ଚଢ଼ଉରେ ପଞ୍ଜାବ ପୁଲିସକୁ ସାମିଲ କରାଯାଇନଥିଲା। ଡିଆଇଜିଙ୍କୁ ଜଣେ ସ୍କ୍ରାପ୍ ଡିଲରଙ୍କ ଅଭିଯୋଗକ୍ରମେ ଗିରଫ କରାଯାଇଥିଲା। ପଚରାଉଚରା ପାଇଁ ତାଙ୍କୁ ପଞ୍ଚକୁଲା ନିଆଯାଇଛି। ୨୦୦୯ ବ୍ୟାଚ ଆଇପିଏସ୍ ଭୁଲ୍ଲର ପଞ୍ଜାବର ପୂର୍ବତନ ଡିଜିପି ମେହଲ ସିଂହ ଭୁଲ୍ଲରଙ୍କ ପୁଅ।
