ନଦୀରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର
ଭଦ୍ରକ : ଭଦ୍ରକ ଜିଲ୍ଲା ସାତଭଉଣୀ ନିକଟସ୍ଥ ନାଳିଆ ନଦୀରେ ଅଘଟଣ I ପୁଣି ନଦୀରେ ଗାଧୋଇବା ହେଲା କାଳ I ବୁଡ଼ିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ I ୫ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ୪ ଜଣ ପାଣି ଭିତରେ ବୁଡି ଯାଉଥିଲେ I ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା I ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାନୁସାରେ,ଗ୍ରାମାଞ୍ଚଳ ଥାନା ଅଧିନ ଲାଙ୍ଗୁଡ଼ି ଅଞ୍ଚଳର ୫ଜଣ ସାଙ୍ଗ ଏକା ସହିତ ନିକଟସ୍ଥ ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ I ତେବେ ଏମାନଙ୍କ ମଧ୍ୟରୁ ୪ ଜଣ ପାଣିରେ ବୁଡି ଯାଇଥିଲେ I ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି I ଏହି ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ଏମାନେ ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିବାବେଳେ ସେମାନଙ୍କ ଘର କୋରକରା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ପାଣିରେ ପହଁରା ଶିଖିବା ଉଦ୍ଦେଶ୍ୟରେ ନଦୀରେ ପଶିଥିଲେ। ହେଲେ ପହଁରା ଜାଣି ନଥିବା ହେତୁ ବୁଡ଼ିଯାଇଥିଲେ।

Comments are closed.