ବୈଷ୍ଣୋଦେବୀ ଦର୍ଶନ ସାରି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୩ ଓଡ଼ିଆଙ୍କ ମୃତ୍ୟୁ

0

ସୋନପୁର : ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ବୈଷ୍ଣୋଦେବୀ ପୀଠରେ ମାଆଙ୍କ ଦର୍ଶନ ସାରି ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ କଟରାରେ ୩ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୋନପୁର ଜିଲ୍ଲା ତରଭାର ଯୋଗେନ୍ଦ୍ର ମଟାରୀ,ବିଚିତ୍ର କୁମାର ସାହୁ ଓ ତାଙ୍କ ସ୍ତ୍ରୀ କବିତା ସାହୁ। ଯୋଗିନ୍ଦ୍ର ମଟାରିଙ୍କ ସ୍ତ୍ରୀ ସ୍ନେହଲତା ଗୁରୁତର ଅବସ୍ଥାରେ ଜମ୍ମୁ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ସୂଚନାନୁସାରେ,ଗତ ୧୧ ତାରିଖରେ ସୋନପୁର ତରଭାର ଦୁଇ ବନ୍ଧୁ ନିଜ ପରିବାରର ସାତ ଜଣ ସଦସ୍ୟଙ୍କ ସହିତ ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିଲେ । ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ସମସ୍ତେ ହେଲିକପ୍ଟରରେ କଟରା ଫେରିଥିଲେ। କଟରା ହେଲିପ୍ୟାଡରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଅଟୋରେ ଦୁଇ ବନ୍ଧୁଙ୍କ ପତ୍ନୀଙ୍କ ସହ ବସିଥିବାବେଳେ ଅନ୍ୟମାନେ ଚାଲିଚାଲି ଆସୁଥିଲେ। ଜାମ୍ମୁ-କଟରା ଏକ୍ସପ୍ରେସ ୱେରେ ଯାଉଥିବାବେଳେ ଏକ ବୁଲାଣିରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବିଚିତ୍ର, ଯୋଗିନ୍ଦ୍ର ଓ ଅଟୋ ଚାଲକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ କବିତା ଓ ସ୍ନେହଲତା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କଟରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଜମ୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାବେଳେ ରାସ୍ତାରେ କବିତାଙ୍କ ମୃତ୍ୟୁ ହୋଇଥିଲା। ସ୍ନେହଲତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.