ଜମ୍ମୁରେ ୨୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି

ଖୁବଶୀଘ୍ର ନିଜର କାୟା ବଦଳିବାକୁ ଚାହୁଁଛି ଜାମ୍ମୁ ଓ କାଶ୍ମୀର । ଧାରା ୩୭୦ ଉଠିବା ପରେ ପ୍ରଥମ ଥର ପାଇଁ ଜମ୍ମୁକୁ ଗସ୍ତ କରି ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଏଥିସହ ଘାଟିର ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେମାନଙ୍କ ବାପା ଅଜାଙ୍କୁ ଯାହା ଭୋଗିବାକୁ ପଡ଼ିଲା, ସେମାନଙ୍କୁ ସେଦିନ ଦେଖିବାକୁ ପଡ଼ିବନି ।ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି । ଆଉ ସେଠାରେ କହିଛନ୍ତି, ଏହି ଅଞ୍ଚଳ ମୋ ପାଇଁ ନୂଆ ନୁହେଁ, କି ଆପଣମାନଙ୍କ ପାଇଁ ମୁଁ ବି ନୂଆ ନୁହେଁ । ଜାମ୍ମୁ ଓ କାଶ୍ମୀରର ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରବେଶ କରିସାରିଛି । ଆସନ୍ତା ୨୫ ବର୍ଷ ଭିତରେ ସଫଳତାର ନୂଆ କାହାଣୀ ଲେଖିବ ଜାମ୍ମୁ ଓ କାଶ୍ମୀର । ଗତକାଲି ପଞ୍ଚାୟତିରାଜ ଦିବସ ଅବସରରେ ସାମ୍ବା ଜିଲ୍ଲା ପଲ୍ଲୀରୁ ଦେଶବ୍ୟାପୀ ଗ୍ରାମସଭା ଗୁଡ଼ିକୁ ସମ୍ବୋଧନ କରିଛନ୍ତି ମୋଦି । ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ ସାମିଲ ଅଛି ପ୍ରାୟ ୯ କିଲୋମିଟର ଦୀର୍ଘ ବନିହାଲ୍-କାଜିଗୁଣ୍ଡ୍ ଟନେଲ୍ ଏବଂ ଚେନାବ୍ ନଦୀରେ ନିର୍ମାଣ ହେବାକୁ ଥିବା ୮୫୦ ଓ ୫୪୦ ମେଗାଓ୍ୱାଟର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପ । ପ୍ରମୁଖ ପଲ୍ଲୀରେ ୫ଶହ କିଲୋଓ୍ୱାଟ୍ ସୋଲାର୍ ପାଓ୍ୱାର୍ ପ୍ଲାଣ୍ଟ୍ ଲୋକାର୍ପଣ ହେବା ଫଳରେ ଏହା ଦେଶର ପ୍ରଥମ କାର୍ବୋନ୍ ନ୍ୟୁଟ୍ରାଲ୍ ପଞ୍ଚାୟତ ବନିଛି ।ଏଥିସହ ଦେଶର ପ୍ରତି ଜିଲ୍ଲାରେ ୭୫ଟି ଜଳାଶୟର ପୁନରୁଦ୍ଧାର ପାଇଁ ଅମୃତ ସରୋବର ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି । ତେବେ ଏହି ଗସ୍ତ ପରେ ଜମ୍ମୁରେ ବିକାଶର ନୂଆ ଫର୍ଦ ଯୋଡି ହେବା ନେଇ ଆଲୋଚନା କରାଯାଉଛି।

Govt

Comments are closed.