ନାବାଳିକାକୁ ନିଶା ଦେଇ ଅପହରଣ ବେଳେ ଧରାପଡ଼ିଲେ ୨ ଯୁବକ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ନାବାଳିକାଙ୍କୁ ନିଶାଦେଇ ରାତିଅଧରେ ଅପହରଣ କରିବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଲେ ୨ ବଙ୍ଗୀୟ ଯୁବକ । ଯୁବକ ୨ ଜଣ ମଧ୍ୟ ନିଶାସକ୍ତ ଥିଲେ ବୋଲି ଜଣା ପଡିଛି । ତେବେ ଯୁବକ ୨ ଜଣ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏହି ଘଟଣା ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଣେ ନାବାଳିକାକୁ ୨ ଜଣ ଯୁବକ ଅଚେତ ଅବସ୍ଥାରେ ଧରି କୁଆଡେ ନେଉଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଦେହ ହେବାରୁ ଗାଁଲୋକ ଉକ୍ତ ଯୁବକଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସରେ ଖବର ଦେଇଥିଲେ । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ଅଟକ ରଖିବା ସହ ନାବାଳିକାକୁ ଚିକିତ୍ସା ନିମନ୍ତେ ଏମ୍ସ ମେଡିକାଲକୁ ପଠାଇଛି । ତେବେ ପୋଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଖଣ୍ଡଗିରି ଥାନା ଡୁମ୍‌ଡୁମା ଅଞ୍ଚଳରେ ଏକ ହୋଟେଲ୍‌ରେ ଶ୍ରମିକ ଭାବରେ କାମ କରନ୍ତି ଦୁଇ ଯୁବକ । ଅନ୍ୟପଟେ ନାବାଳିକା ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Govt

Comments are closed.