ବାଲେଶ୍ୱର : ହଜିଗଲା ମାନବିକତା । ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଯୋଗୁଁ ହସ୍ପିଟାଲରେ ମା’ଙ୍କର ଶବ ଉଠୁନି । ପାଖାପାଖି ୩୦ ଘଣ୍ଟା ଧରି ସତ୍କାର ନହୋଇ ସୋର ଡାକ୍ତରଖାନା ଶବ ଗୃହରେ ପଡ଼ିରହିଛି ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋର ଥାନା ବଳଙ୍ଗା ପଂଚାୟତ ସିମୁଳିଆ ଗାଁରେ । ସାନଭାଇ ନିକଟରେ ରହୁଥିବା ୮୫ ବର୍ଷିଆ ମା’ର ମୃତ୍ୟୁ ପରେ ବଡଭାଇ ଆଣିଲେ ହତ୍ୟା ଅଭିଯୋଗ । ଏହାପରେ ଶବଆଣି ବ୍ୟବଚ୍ଛେଦ କରିଛି ସିମୁଳିଆ ପୋଲିସ ।
ଘଟନାନୁସାରେ,ସିମୁଳିଆ ଗାଁର ମାଳତୀ ବାରିକ (୮୫)ଙ୍କର ଦୁଇପୁଅ ଜଗବନ୍ଧୁ ଓ ଗୋବିନ୍ଦ । ବଡ଼ପୁଅ ଜଗବନ୍ଧୁ ଅନେକ ଦିନ ହେବ ଘର ଠାରୁ ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହୁଥିଲେ। ଗୋବିନ୍ଦ ବାରିକ କଲିକତାରେ ଚାକିରୀ କରନ୍ତି । ଘରେ ତାଙ୍କ ସ୍ତ୍ରୀଙ୍କ ନିକଟରେ ମା’ମାଳତୀ ରହୁଥିଲେ । ମଙ୍ଗଳବାର ସକାଳେ ମାଳତୀ ଘର ପାଖରେ ପଡିଯାଇଥିବା ବେଳେ ସାନ ବୋହୁ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ସେ ଶବ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ। ଏ ବାବଦରେ ବଡ଼ ପୁଅ ଜଗବନ୍ଧୁ ଜାଣିବା ପରେ ତାଙ୍କ ମା’ଙ୍କୁ ରାସ ପୁର୍ଣିମା ଦିନ ସାନବୋହୁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ଏବଂ ସେ ପୁଣି ଥରେ ମା’ଙ୍କ ଶବକୁ ନେଇ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ। ବଡପୁଅ ଥାନା ରେ ଅଭିଯୋଗ କରିବା ପରେ ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁଇ ପୁଅଙ୍କ ବିବାଦ ପାଇଁ ମା’ର ଶବ ସତ୍କାର ହୋଇପାରୁନଥିବା ଦେଖିବାକୁ ମିଳିଛି।

Comments are closed.