ଭୁବନେଶ୍ୱର: ଅପ୍ରେଲ ୨୮: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଆଜି ପ୍ରଥମ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଏମଆଇଏଲ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ । ପରୀକ୍ଷାର୍ଥୀ ୮ ଟାରୁ ୮ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ୧୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ଏବଂ ୫ ମିନିଟ ପୂର୍ବରୁ ଉତ୍ତର ଖାତା ଦିଆଯାଇଥିଲା ।ସୂଚନା ଅନୁସାରେ, ଚଳିତ ବର୍ଷ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଓ ବିଜ୍ଞାନରେ ୭୮ ହଜାର ୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି ।ସେହିପରି ବାଣିଜ୍ୟରେ ୨୪ ହଜାର ୧୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ମୋଟ ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରିଚାଳନା ହବ୍ କରାଯାଇଛି ।ତେବେ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Comments are closed.