ବିହାରରେ ୧୪ ଲକ୍ଷ ନାଗରିକ ପ୍ରଥମ ଥର ଭୋଟ୍‌ ଦେବେ

0

ନୂଆଦିଲ୍ଲୀ: ନିର୍ବାଚନ କମିସନର ସୋମବାର ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍‌ ବଜାଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ଏବଂ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ଏହାର ୩ ଦିନ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞା‌ନେଶ କୁମାର ଆଜି ବିହାର ବିଧାନସଭା ସମେତ ଦେଶର ୭ରାଜ୍ୟର ୮ଟି ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଜ୍ଞାନେଶ କୁମାର କହିଛନ୍ତି, ବିହାରରେ ପ୍ରଥମ ପର୍ଯ୍ୟାୟରେ ବନ୍ୟା ପ୍ରବଣ ଏବଂ ଗ୍ରାମୀଣ ଅଞ୍ଚଳ ସମେତ କେନ୍ଦ୍ରୀୟ ବିହାରର ୧୨୧ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ ଏବଂ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟ‌ାୟରେ ସୀମାନ୍ତ ଅଞ୍ଚଳର ୧୨୨ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ ତାରିଖ ଘୋଷଣା କରିବା ସହ ସିଇସି ଭୋଟରମାନଙ୍କୁ ସୁନିଶ୍ଚିତ କରି କହିଛନ୍ତି ଯେ ଆମେ ଆଇନ ଶୃଙ୍ଖଳା ବଜାୟ ରଖି ସ୍ୱଚ୍ଛ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରୁଛୁ। ବିହାରରେ ମୋଟ୍‌ ଭୋଟରଙ୍କ ସଂଖ୍ୟା‌ ୭.୪୩ କୋଟି ରହିଛି। ଏମାନଙ୍କ ମଧ୍ୟରୁ ୩.୯୨ କୋଟି ପୁରୁଷ ଭୋଟର ହୋଇଥିବାବେଳେ ୩.୫ କୋଟି ହେଉଛନ୍ତି ମହିଳା ଭୋଟର। ଚଳିତ ଥର ୧୪ ଲକ୍ଷ ନାଗରିକ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥିସହିତ ୪ ଲକ୍ଷ ବରିଷ୍ଠ ନାଗରିକ ଭୋଟର ଅଛନ୍ତି ବୋଲି ସିଇସି କହିଛନ୍ତି। ସେହିପରି ରାଜ୍ୟରେ ୧୪,୦୦୦ରୁ ଅଧିକ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ। ରାଜ୍ୟରେ ୯୦,୭୧୨ ଭୋଟିଂ ବୁଥ୍‌ ସ୍ଥାପନ ହେବ ଏବଂ ଏଥି ମଧ୍ୟରୁ ୧୦୪୪ ଭୋଟିଂ ବୁଥ୍‌ ମହିଳାଙ୍କ ଦ୍ବାରା ପରିଚାଳିତ ହେବ ବୋଲି ବୋଲି ସିଇସି କହିଛନ୍ତି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.