ଯାଜପୁର : ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣ ଗଲେ ଜେଲ । ଗିରଫ ପରେ ଯାଜପୁର SDJM କୋର୍ଟରେ ହଜାର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଜେଲ ପଠାଯାଇଛି । ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ଜଣ ଗିରଫ କରାଯାଇଛି ।
ସୂଚନାନୁସାରେ,ଗତକାଲି ରାତିରେ ଧର୍ମଶାଳା ବିଜେପି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ହିମାଂଶୁ । ହିମାଂଶୁଙ୍କ ଅଭିଯୋଗ ମୁତାବକ, ବୁଧବାର ଡିଡିଏମ୍ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲେ। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକା କରିଥିଲେ। ରାସ୍ତା ବନ୍ଦ ଥିବାରୁ ଗାଡ଼ି ଅଟକି ରହିଥିଲା, ଏତିକି ବେଳେ କିଛି ଲୋକ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ, ଠେଙ୍ଗା ଥିଲା। ଏଥିରେ ସେମାନେ ମୋ ଗାଡ଼ିକୁ ପିଟିଥିଲେ। ଏହାପରେ ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ସମସ୍ତେ ମିଶି ମୋତେ ପିଟି, ମୋ ଚେନ ଛିଡ଼ାଇ ନେଇଥିଲେ। ଆକ୍ରମଣ କରିବା ସମୟରେ ସେମାନେ ବବି ଭାଇ ଜିନ୍ଦାବାଦ କହି ନାରା ଦେଇଥିଲେ।
ବିଧାୟକ ହିମାଂଶୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଥିଲେ, ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ସେ କହିଛନ୍ତି ‘ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଘଟଣାକୁ ନିନ୍ଦା କରୁଛି। ତେବେ ମୁଁ ଘଟଣାସ୍ଥଳରେ ନ ଥିଲି, ବିରଜା ପ୍ରକଳ୍ପକୁ ନେଇ ରାସ୍ତାରୋକୋ ହୋଇଥିଲା। ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ମୁଁ ଶୁଣିବାକୁ ପାଇଛି। ବିଧାୟକଙ୍କୁ ବବିଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ।

Comments are closed.