ଆମେରିକାର ନ୍ୟୁୟର୍କ ସହର ଏବେ ମୂଷାଙ୍କୁ ନେଇ ସମସ୍ୟାରେ ପଡିଯାଇଛି । ଏହି କ୍ରମରେ ଏବେ ସହରକୁ ଏପରି ଜଣେ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି ଯିଏ ସହରବାସୀଙ୍କୁ ମୂଷାଙ୍କ ଆତଙ୍କରୁ ମୁକ୍ତି ଦେଇପାରିବ । ୨୦୧୪ରେ ଏକ ଅନୁମାନ ଲଗାଯାଇଥିଲା ଯେ, ନ୍ୟୁୟର୍କ ସହରରେ ପ୍ରତି ବ୍ୟକ୍ତିଙ୍କ ପାଖରେ ଦୁଇଟି ମୂଷା ଥିଲା । ଏହାର ଅର୍ଥ ଏଠାରେ ମୋଟ ମୂଷା ସଂଖ୍ୟା ୧ କୋଟି ୮୦ ଲକ୍ଷରୁ ଅଧିକ ହେବ ।
ମୂଷାଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ଲାଗି ନ୍ୟୁୟର୍କ ସରକାର ଏବେ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ଚାହୁଁଛନ୍ତି । ଏହି କ୍ଷେତ୍ରରେ ଜଣେ ଭଲ ବିଶେଷଜ୍ଞଙ୍କୁ ୧ କୋଟି ୧୩ ଲକ୍ଷ ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ବ୍ରିଟିଶ ସମ୍ବାଦପତ୍ର ଡେଲି ମେଲ୍ ଅନୁସାରେ ଏଥିପାଇଁ ସମ୍ବାଦପତ୍ରରେ ବିଜ୍ଞାପନ ମଧ୍ୟ ଦିଆଯାଇଛି । ତେବେ ଏଥିପାଇଁ ଯୋଗ୍ୟତା ନିୟମ ବି ଧାର୍ଯ୍ୟ କରାଯାଇଛି । ଆବେଦକ ସ୍ନାତକ ଡିଗ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଉଚିତ । ଏହା ସହିତ ସେମାନଙ୍କ ପାଖରେ ଶତ୍ରୁ ସହ ଲଢିବା ଲାଗି ଦୃଢ ସଂକଳ୍ପ ମଧ୍ୟ ରହିଥିବା ଉଚିତ ।
୨ ବର୍ଷ ପୂର୍ବେ ୭୦ ପ୍ରତିଶତ ଲୋକଙ୍କ ଅଭିଯୋଗ ଆଧାରରେ ମୂଷାଙ୍କ ଆତଙ୍କ ରୋକିବା ଲାଗି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏବେ ସେମାନଙ୍କ ଲାଗି ନୂଆ ଆଇନ ବି ଅଣାଯାଇଛି । ଏହି ଆଇନ ବଳରେ ନ୍ୟୁୟର୍କବାସୀ ରାତି ୮ଟା ପରେ ଅଳିଆ ବାହାରେ ପକାଇ ପାରିବେ ନାହିଁ । ଗତ ମାସରେ ମେୟର ଏରିକ୍ ଆଡମ୍ସ ଘୋଷଣା କରିିଥିଲେ ଯେ ମୁଁ ମୂଷାଙ୍କୁ ଘୃଣାକରେ ଓ ମୁଁ ସେମାନଙ୍କୁ ମାରିବାକୁ ଯାଉଛି ।

Comments are closed.