୭ ଶହ ପିଲାଙ୍କୁ ୭ ଜଣ ଶିକ୍ଷକ: ନିଗମାନନ୍ଦ ହାଇସ୍କୁଲ୍‌ରେ ପାଠ ପଢା ହେବ କେମିତି

ଧାମରା: ଜୁଲାଇ ୨୨: ଚଳିତ ମାସ ୨୬ ତାରିଖରେ ସାରା ରାଜ୍ୟରେ ହାଇସ୍କୁଲ୍ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କେବଳ ଦଶମ ଶ୍ରେଣୀ ପିଲା ମାନଙ୍କୁ ପାଠ ପଢା ଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ ଚାନ୍ଦବାଲି ବ୍ଲକ ଶଶିକାଦେଇପୁର ନିଗମାନନ୍ଦ ହାଇସ୍କଲୁରେ ଶିକ୍ଷକ ମରୁଡି ଦେଖା ଦେଇଛି । ୭ ଶହ ଜଣ ପିଲାଙ୍କୁ ୭ ଜଣ ଶିକ୍ଷକ ଏଠାରେ ନିୟୋଜିତ ଅଛନ୍ତି । ତେବେ ଏଠାରେ କେମିତି ପାଠ ପଡାଯିବ ବୋଲି ସ୍ଥାନୀୟ ଶିକ୍ଷାବିତ୍ ପ୍ରଶ୍ନ ଉଠାଇଛନ୍ତି । ୧୯୬୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ଚଳିତ ଶିକ୍ଷା ବର୍ଷରେ ୯ମ ଶ୍ରେଣୀରେ ୨୩୦ ଜଣ , ୧୦ମ ଶ୍ରେଣୀରେ ୨୨୦ ଜଣ ପିଲା ନାମ ଲେଖାଇଛନ୍ତି । ଗୋଟିଏ କ୍ୟାମ୍ପସରେ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଟି ସ୍କୁଲ୍ ସଂଯୁକ୍ତ ହୋଇଛି । ପ୍ରାଇମେରୀରେ ୧ ମରୁ ୮ମ ଶ୍ରେଣୀ ମୋଟ ୨୫୦ ଜଣ ପିଲା ନାମ ଲେଖାଇଛନ୍ତି । ଏମାନଙ୍କୁ ପାଠ ପଢାଇବା ପାଇଁ ମାତ୍ର ୪ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷାଦାନ ଦେବା ପାଇଁ ନଯୁକ୍ତି ପାଇଛନ୍ତି । ୯ମ ଓ ୧୦ମ ଶ୍ରେଣୀର ପିଲା ମାନଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଏହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ, ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, ସିବିଜେଡ୍ ଶିକ୍ଷକ, ଖେଳ ଶିକ୍ଷକ ନାହାଁନ୍ତି । ଜଣେ ପିସିଏମ୍ ଶିକ୍ଷକ, ୨ ଜଣ ଟିଜି ଆର୍ଟସ୍ ଶିକ୍ଷକ ଏଠାରେ ଶିକ୍ଷାଦାନ ଦେଉଛନ୍ତି । ଗଣିତ, ଓଡିଆ, ଇତିହାସ, ଭୂଗୋଳ ପାଠ ସେମିତି ଠେଲିପେଲି ଚାଲିଛି । ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଦାବିପତ୍ର ଦିଆଯାଇଛି । ଏତେ କମ ସଂଖ୍ୟକ ଶିକ୍ଷକଙ୍କୁ ନେଇ ପାଠ ପଢା ହେବ କେମିତି ବୋଲି ଦାବିପତ୍ରରେ ପ୍ରଶ୍ନ କରାଯାଇଛି । ଦୀର୍ଘ ୧୦ ବର୍ଷ ଧରି ଏହି ସ୍କୁଲରେ କିରାଣୀ ପଦବୀ ଖାଲି ପଡିଛି । କିରାଣୀଙ୍କ କାମ କରିବା ପାଇଁ ଶିକ୍ଷକ ମାନଙ୍କ ଉପରେ ଅତିରିକ୍ତ ବୋଝ ଲଦି ହୋଇଛି । ଏହି ସ୍କୁଲରେ ଶିକ୍ଷକ ଅଭାବ ଥିବା ବିଭାଗୀୟ ପଦାଧିକାରୀ ପରିଦର୍ଶନ ସମୟରେ ଦେଖିଛନ୍ତି । ଅଥଚ ଏହାର କିଛି ପ୍ରତିକାର ହେଉ ନଥିବା ଶିକ୍ଷାବିତ୍ ଅଭୟ ମାଇତି ପ୍ରଶ୍ନ ଉଠାଇଛନ୍ତି । ଦୀର୍ଘ ୫ ବର୍ଷ ଧରି ୫ ଶିକ୍ଷକ ପଦବୀ ଖାଲି ପଡିଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏଠାରେ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ତୁଲାଉଛନ୍ତି । ତଥାପି ଏପରି ପ୍ରତିକୂଳ ପରିସ୍ଥିତରେ ଏହି ହାଇସ୍କଲର ପିଲା ଦଶମ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ ଦେଖାଇଛନ୍ତି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପୂର୍ବତନ ସରପଚଂ ରମେଶ ଚନ୍ଦ୍ର ନାୟକ, ବିଶ୍ୱଜିତ୍ ରାଉତ, ରାମକୃଷ୍ଣ ଦୁଆରୀ, ଜ୍ଞାନ ରଞ୍ଜନ ମହାନ୍ତି, ନରହରି ମଲ୍ଲିକ, କାର୍ତିକ ମାଝୀ, ଅରକ୍ଷିତ ରାଉତ, ସୁଦର୍ଶନ ମଲ୍ଲିକ, ରମାକାନ୍ତ ବେହେରା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Launching Ceremony of “AYUSHMAN BHARAT

Comments are closed.