ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ “ଭୋଟ୍ ଚୋରି” ଅଭିଯୋଗର କଡ଼ା ଜବାବ ଦେଇ , ଭାରତୀୟ ନିର୍ବାଚନ କମିସନ ରବିବାର ତାଙ୍କୁ ପ୍ରମାଣ ସହିତ ଏକ ସତ୍ୟପାଠ ଦାଖଲ କରିବାକୁ ୭ଦିନ ସମୟ ଦେଇଛନ୍ତି। ନଚେତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ସେ କହିଛନ୍ତି।
“ଏକ ଶପଥପତ୍ର ଦେବାକୁ ପଡିବ କିମ୍ବା ଦେଶ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ପଡିବ। ତୃତୀୟ କୌଣସି ବିକଳ୍ପ ନାହିଁ। ଯଦି ୭ ଦିନ ମଧ୍ୟରେ ଶପଥପତ୍ର ଗ୍ରହଣ କରାଯାଏ ନାହିଁ, ତେବେ ଏହାର ଅର୍ଥ ହେଉଛି ଯେ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ,” ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ।
ଏହା ବ୍ୟତୀତ, ରାହୁଲଙ୍କ ମନ୍ତବ୍ୟକୁ “ସମ୍ବିଧାନର ଅପମାନ” ବୋଲି କହିବା ସହିତ କମିଶନ କହିଛନ୍ତି ଯେ “ଭୋଟ୍ ଚୋରି” ଭଳି ଶବ୍ଦ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରେ। ରାଜନୈତିକ ଦଳଗୁଡ଼ିକ ରାଜନୈତିକ ଲାଭ ପାଇଁ ଭୋଟରମାନଙ୍କୁ ଟାର୍ଗେଟ କରୁଛନ୍ତି। ଏଥିପାଇଁ ନିର୍ବାଚନ କମିଶନକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି।
“ଯେତେବେଳେ ନିର୍ବାଚନ କମିସନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ଭୋଟରମାନଙ୍କୁ ଟାର୍ଗେଟ କରି ରାଜନୀତି କରାଯାଉଛି, ଆଜି ନିର୍ବାଚନ କମିଶନ ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ନିର୍ବାଚନ କମିଶନ ନିର୍ଭୀକ ଭାବରେ ଗରିବ, ଧନୀ, ବୃଦ୍ଧ, ମହିଳା, ଯୁବକ ସମେତ ସମସ୍ତ ବର୍ଗ ଏବଂ ସମସ୍ତ ଧର୍ମର ସମସ୍ତ ଭୋଟରଙ୍କ ସହିତ ପଥର ପରି ଠିଆ ହୋଇଛି, କୌଣସି ଭେଦଭାବ ବିନା ଠିଆ ହୋଇଛି ଏବଂ ରହିବ,” କୁମାର କହିଛନ୍ତି।
ଦୁଇଥର ଭୋଟ ଦେବାର ଦାବିର ଜବାବରେ କୁମାର ଆହୁରି କହିଛନ୍ତି ଯେ କିଛି ଭୋଟର ଚିନ୍ତା ପ୍ରକାଶ କରିଥିଲେ ମଧ୍ୟ କୌଣସି ପ୍ରମାଣ ପ୍ରଦାନ କରାଯାଇ ନଥିଲା। “ନିର୍ବାଚନ କମିସନ କିମ୍ବା ଭାରତର ଭୋଟରମାନେ ଏପରି ମିଥ୍ୟା ଅଭିଯୋଗକୁ ଭୟ କରନ୍ତି ନାହିଁ,” ସେ କହିଛନ୍ତି।
