ନୂଆଦିଲ୍ଲୀ: ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଜ୍ୟ ଯୋଜନା (ଏବି-ପିଏମ୍ଜେଏୱାଇ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ଆରମ୍ଭ କରିବାର ସମ୍ଭାବନା ରହିଛି। ଏଥିସହିତ ସାର୍ବଜନୀନ ଟିକାକରଣ ଯୋଜନାରେ ଜନ୍ମରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ଗର୍ଭବତୀ ମହିଳାଙ୍କ ଟିକାକରଣ ସଂପର୍କିତ ଡିଜିଟାଲ ତଥ୍ୟ ରଖିବା ପାଇଁ ‘ୟୁ-ୱିନ’ ନାମରେ ଏକ ପୋର୍ଟାଲ ମଧ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ। କୋ-ୱିନ୍ ଯେଭଳି କୋଭିଡ-୧୯ ଟିକା ପରିଚାଳନା କରୁଥିଲା ୟୁ-ୱିନକୁ ସେହିଭଳି ସ୍ଥାୟୀ ଡିଜିଟାଲ ରେକର୍ଡ ପାଇଁ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହାର ପାଇଲଟ ପ୍ରକଳ୍ପ ଚାଲିଛି। ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହେଲେ ଏହାଦ୍ବାରା ଦେଶରେ ୪.୫ କୋଟି ପରିବାରର ପ୍ରାୟ ୬ କୋଟି ନାଗରିକ ଉପକୃତ ହେବେ। ସବୁ ଆର୍ଥିକ ବର୍ଗର ଲୋକଙ୍କୁ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏବି ପିଏମ୍ଜେଏୱାଇ ଡାକ୍ତରଖାନାଗୁଡ଼ିକରେ ମିଳିବ। ୨୦୨୦ ସେପ୍ଟେମ୍ବର ପହିଲା ସୁଦ୍ଧା ମୋଟ ୨୯,୬୪୮ଟି ଡାକ୍ତରଖାନାକୁ ଏହି ଯୋଜନାରେ ତାଲିକାଭୁକ୍ତ କରାଯାଇଛି। ଏଥିରେ ୧୨୬୯୬ଟି ଘରୋଇ ଡାକ୍ତରଖାନା ରହିଛି। ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦିଲ୍ଲୀ, ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଛାଡ଼ିଲେ ଦେଶର ଅନ୍ୟ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି।

Comments are closed.