୫ ବର୍ଷରେ ଦେଶରେ ହାତୀ ଆକ୍ରମଣରେ ୨୮୨୯ ଲୋକ ମରିଛନ୍ତି

ଓଡ଼ିଶାରେ ସର୍ବାଧିକ ୬୨୪

ନୂଆଦିଲ୍ଲ: ଦେଶରେ ଦିନକୁ ଦିନ ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଜଙ୍ଗଲ ହ୍ରାସ ଫଳରେ ହାତୀ ଅନେକ ସମୟରେ ଖାଦ୍ୟ ପାଇଁ ଜନବସତିମୁହାଁ ହେଉଛନ୍ତି। ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପାୟନ ଆଦି ପାଇଁ ଜନବସତି ବଢ଼ୁଛି। ଏହାର ପ୍ରଭାବ ବନ୍ୟଜନ୍ତୁ ଏବଂ ମଣିଷ ଉପରେ ପଡ଼ୁଛି। ହାତୀ ଓ ମଣିଷ ସଂଘର୍ଷ ବଢ଼ୁଛି। ଏହାଫଳରେ ଦେଶରେ ଗତ ୫ ବର୍ଷ ମଧ୍ୟ‌‌ରେ ହାତୀ ଆକ୍ରମଣରେ ୨,୮୨୯ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଗତ ୫ ବର୍ଷ ମଧ୍ୟରେ ଦେଶରେ ୫୨୮ ହାତୀଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି।ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ହାତୀ ଆକ୍ରମଣରେ ସର୍ବାଧିକ ୬୨୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୨-୨୩ରେ ୬୦୫ ଜଣଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ୬୨୪ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏହି ସବୁ ମୃତ୍ୟୁ ୨୦୧୯ରୁ ୨୦୨୪ ମଧ୍ୟରେ ହୋଇଛି। ଓଡ଼ିଶା ପଛକୁ ଝାଡ଼ଖଣ୍ଡରେ ୪୭୪, ପଶ୍ଚିମବଙ୍ଗରେ ୪୩୬, ଆସାମରେ ୩୮୩, ଛତିଶଗଡ଼ରେ ୩୦୩, ତାମିଲନାଡ଼ୁରେ ୨୫୬, କର୍ଣ୍ଣାଟକରେ ୧୬୦ ଏବଂ କେରଳରେ ୧୦୨ ଜଣ ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି। ଅନ୍ୟପକ୍ଷେ ଏହି ୫ ବର୍ଷ ମଧ୍ୟ‌ରେ ୫୨୮ଟି ହାତୀ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଦୁର୍ଘଟଣା, ଶିକାର ସମେତ ବିଭିନ୍ନ ଅସ୍ବାଭାବିକ କାରଣ ପାଇଁ ମରିଛନ୍ତି। ବିଦ୍ୟୁତ୍‌ ଆଘାତରେ ସର୍ବାଧିକ ୩୯୨ ହାତୀ ମରିଥିବାବେଳେ ଗତ ୫ ବର୍ଷ ମଧ୍ୟରେ ଟ୍ରେନ୍‌ ଦୁର୍ଘଟଣାରେ ୭୩ ହାତୀ ମରିଛନ୍ତି। ଶିକାର ଦ୍ବାରା ୧୫ ଏବଂ ବିଷକ୍ରିୟା ଯୋଗୁ ୧୩ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ସର୍ବାଧିକ ୭୧ ହାତୀ ବିଦ୍ୟୁତ୍‌ ଆଘାତରେ ମରିଛନ୍ତି। ଓଡ଼ିଶା ପଛକୁ ଆସାମରେ ୫୫, କର୍ଣ୍ଣାଟକରେ ୫୨, ତାମିଲନାଡ଼ୁରେ ୪୯, ଛତିଶଗଡ଼ରେ ୩୨, ଝାଡ଼ଖଣ୍ଡରେ ୩୦, କେରଳରେ ୨୯ ହାତୀ ବିଦ୍ୟୁତ୍‌ ଆଘାତରେ ମରିଛନ୍ତି। ଟ୍ରେନ୍‌ ଦୁର୍ଘଟଣାରେ ଆସାମରେ ସର୍ବାଧିକ ୨୪ ହାତୀ ମରିଛନ୍ତି। ଆସାମ ପଛକୁ ଓଡ଼ିଶାରେ ୧୬, ପଶ୍ଚିମବଙ୍ଗରେ ୧୦ ହାତୀ ଟ୍ରେନ୍‌ ଦୁର୍ଘଟଣାରେ ମରିଛନ୍ତି। ଅନ୍ୟପକ୍ଷେ ଓଡ଼ିଶାରେ ୧୭ ହାତୀ ଶିକାରରେ ମରିଛନ୍ତି ଏବଂ ମେଘାଳୟରେ ୧୪, ତାମିଲନାଡ଼ୁରେ ୧୦ ହାତୀ ଶିକାରରେ ମରିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ବିଭାଗ ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି।

Comments are closed.