୪୦% ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆପରାଧିକ ମାମଲାରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍‌ରେ ଥିବା କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ପଦରୁ ହଟାଇବାପାଇଁ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଣିଥିବା ବ‌େଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏଡିଆର୍‌ ଏକ ସଦ୍ୟ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରୁ ଜଣାପଡ଼ିଛି ଯେ ଦେଶରେ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ତଥା ୪୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଘୋଷଣା କରିଛନ୍ତି। ଏଡିଆର୍‌ (ଏସୋସିଏସନ୍‌ ଫର ଡିମୋକ୍ରାଟିକ୍‌ ରିଫର୍ମ‌୍ସ) ରିପୋର୍ଟରୁ ଏହା ଜଣାପଡ଼ିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ତାଙ୍କ ବିରୋଧରେ ସର୍ବାଧିକ ୮୯ଟି ମାମଲା ଘୋଷଣା କରିଥିବା ବେଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ତାଙ୍କ ବିରୋଧରେ ୪୭ ମାମଲା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ୧୯, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା‌ ୧୩ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ‌ହେମନ୍ତ ସୋରେନ ତାଙ୍କ ବିରୋଧରେ ୫ଟି ମାମଲା ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ସେମାନଙ୍କ ବିରୋଧରେ ୪ଟି‌ ଲେଖାଏଁ ମାମଲା ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କ ବିରୋଧରେ ୨ଟି ଆପରାଧିକ ମାମଲା ଘୋଷଣା କରିଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବିରୋଧରେ ଗୋଟିଏ ମାମଲା ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ ୧୦ ଜଣ ତଥା ୩୩ ପ୍ରତିଶତ ମୁଖ୍ୟମନ୍ତ୍ରୀ ‌ସେମାନଙ୍କ ବିରୋଧରେ ଅତି ଗୁରୁତର ଆପରାଧିକ ମାମଲା ଘୋଷଣା କରିଛନ୍ତି।

Govt
Leave A Reply

Your email address will not be published.