ନୂଆଦିଲ୍ଲୀ: ୨୦୨୩ ମସିହାରେ ଦେଶରେ ରେକର୍ଡ ୧୩,୮୯୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୨୨ ତୁଳନାରେ ଏହା ୬.୫% ଅଧିକ। ୨୦୨୨ରେ ୧୩,୦୪୪ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏନ୍ସିଆରବି (ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ) ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ରେ ୧୩,୦୮୯ ଏବଂ ୨୦୨୦ରେ ୧୨,୫୨୬ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଗତ ପାଞ୍ଚ ବର୍ଷରେ ଦେଶରେ ମୋଟ୍ ଛାତ୍ରଛାତ୍ରୀ ଆତ୍ମହତ୍ୟା ୩୪.୪% ବୃଦ୍ଧି ପାଇଛି। ୨୦୧୯ରେ ୧୦,୩୩୫ଟି ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ଘଟିଥିଲା। ସେହିପରି ୨୦୧୩ରୁ ୨୦୨୩ ମଧ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ୬୪.୯% ବୃଦ୍ଧି ପାଇଛି। ୨୦୧୩ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୮,୪୨୩ଟି ଆତ୍ମହତ୍ୟା ଘଟିଥିଲା। ଏହି ଦଶ ବର୍ଷ ମଧ୍ୟରେ ଦେଶ ୧,୧୭,୮୪୯ ଛାତ୍ରଛାତ୍ରୀଙ୍କୁ ହରାଇଲାଣି। ଦେଶରେ ୨୦୨୩ରେ ହୋଇଥିବା ମୋଟ ଆତ୍ମହତ୍ୟା (୧,୭୧,୪୧୮)ରୁ ୮.୧ ପ୍ରତିଶତ ହେଉଛି ଛାତ୍ରଛାତ୍ରୀ ଆତ୍ମହତ୍ୟା। ଏହି ବର୍ଷରେ ଆତ୍ମହତ୍ୟା କରିଥିବା ୧୩,୮୯୨ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୭୩୩୦ ହେଉଛନ୍ତି ଛାତ୍ର ଏବଂ ୬୫୫୯ ହେଉଛନ୍ତି ଛାତ୍ରୀ। ଅନ୍ୟ ୩ ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ। ମହାରାଷ୍ଟ୍ରରେ ସର୍ବାଧିକ (୧୪.୭ %) ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହା ପଛକୁ ମଧ୍ୟପ୍ରଦେଶ (୧୦.୫%), ଉତ୍ତର ପ୍ରଦେଶ (୯.୯%) ଓ ତାମିଲନାଡ଼ୁ(୯.୬%) ରହିଛି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପିଲାଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ଦେଖାଯାଇଛି।
