ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)- ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍ଇଟି) ୨୦୨୪ ପରୀକ୍ଷାକୁ ରଦ୍ଦ କରାଯାଇଛି। ଆଜି ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍ଟିଏ) ଏନେଇ ଘୋଷଣା କରିଛି। ପରୀକ୍ଷାରେ ହେରଫେର କରାଯାଇଥିବା ସୂଚନା ମିଳିବା ପରେ ଏନ୍ଟିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ବ୍ୟବସ୍ଥାରେ ସର୍ବୋତ୍କୃଷ୍ଟ ସ୍ବଚ୍ଛତା ଓ ପବିତ୍ରତାକୁ ନିଶ୍ଚିତ କରିବାକୁ ୟୁଜିସି-ଏନ୍ଇଟି, ଜୁନ୍-୨୦୨୪ ପରୀକ୍ଷା ରଦ୍ଦ କରାଯାଇଛି। ପୁଣିଥରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ପରୀକ୍ଷା ହେରଫେରର ବିସ୍ତୃତ ଯାଞ୍ଚ ନିମନ୍ତେ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି, ଦେଶର ୩୧୭ ସହରରେ ମୋଟ ୧୧.୨୧ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ପ୍ରଘଟ ହେବା ପ୍ରମାଣ ମିଳିବା ପରେ ସରକାର ପରୀକ୍ଷା ରଦ୍ଦ କରିଛନ୍ତି ବୋଲି କୁହାଯାଉଥିବା ବେଳେ ପ୍ରଶ୍ନପତ୍ର ବାବଦରେ ଶିକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିନାହିଁ।

Comments are closed.