କିବ୍: ୟୁକ୍ରେନର ପଶ୍ଚିମ ସହର ଲବିବ୍ରେ ରୁଷ୍ ଆକ୍ରମଣରେ ଜଣେ ମା’ ଏବଂ ତାଙ୍କ ୩ ଝିଅଙ୍କ ସମେତ ମୋଟ୍ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ମୃତକଙ୍କ ମଧ୍ୟରେ ଜଣେ କୋମଳମତି ଶିଶୁ ଥିବା ଜଣାପଡ଼ିଛି। ଲବିବ୍ ମେୟର ଆଣ୍ଡ୍ରି ସାଡ଼ୋଭି କହିଛନ୍ତି, ରୁଷ୍ ଡ୍ରୋନ୍ ଏବଂ ହାଇପରସୋନିକ୍ ମିସାଇଲ୍ ଆକ୍ରମଣ କରିଛି। କେନ୍ଦ୍ରୀୟ ସହର ପୋଲଟଭା ଆକ୍ରମଣର ମାତ୍ର କିଛି ଘଣ୍ଟା ପରେ ପୁଣିଥରେ ରୁଷ୍ ଏଭଳି ଭୟଙ୍କର ଆକ୍ରମଣ କରିଛି। ଲବିବ୍ର ଐତିହାସିକ କେନ୍ଦ୍ର ଉପରେ ଏହି ଆକ୍ରମଣ ହୋଇଛି। ୟୁକ୍ରେନ ରାଜଧାନୀ କିବ୍ରେ ମଧ୍ୟ ବୋମାମାଡ଼ ହୋଇଛି। ଏଥିରେ ୫ ଜଣ ଲୋକ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନରେ ଏୟାର ରେଡ୍ ଆଲର୍ଟ ଜାରି ରହିଥିବାବେଳେ ଲବିବ୍ ଉପରେ ଆକ୍ରମଣ ହୋଇଥିଲା। ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଲବିବ୍ରେ ଥିବା ୟୁକ୍ରେନର ପ୍ରତିରକ୍ଷା ଶିଳ୍ପ କେନ୍ଦ୍ର ଉପରେ କିଞ୍ଜଲ ହାଇପରସୋନିକ୍ ମିସାଇଲ୍ ମାଡ଼ କରିଥିଲା। ସମସ୍ତ ଟାର୍ଗେଟ୍ରେ ମାଡ଼ ହୋଇଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଲବିବ୍ ମେୟର ଦାବି କରିଛନ୍ତି ଯେ ରୁଷ୍ର ଏହି ଆକ୍ରମଣରେ ଘର, ସ୍କୁଲ୍ ଏବଂ କ୍ଲିନିକ୍ ସମେତ ୫୦ଟି କୋଠା ଭାଙ୍ଗିଯାଇଛି।

Comments are closed.