ହେଡଲିକୁ ସହଯୋଗ କରିଥିଲା ରାଣା

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଡେଭିଡ କୋଲମ୍ୟାନ୍‌ ହେଡଲିକୁ କିଭଳି ‌ତହବୁର ରାଣା ସହଯୋଗ କରିଥିଲା ସେ ସଂକ୍ରାନ୍ତରେ ସୂଚନା ଦେଇଛି। ରାଣା କହିଛି ଯେ ପାକିସ୍ତାନର ରାୱଲପିଣ୍ଡିରେ ଥିବା ଆର୍ମି ମେଡିକାଲ କଲେଜରୁ ସେ ୧୯୮୬ ମସିହାରେ ଏମ୍‌ବିବିଏସ୍‌ କରିଥିଲା। ଏହାପରେ ପାକିସ୍ତାନ ସେନାରେ ଜଣେ ଡାକ୍ତରଭାବେ କ୍ବେଟାରେ ଯୋଗ ଦେଇଥିଲା। ସିନ୍ଧ, ବେଲୁଚିସ୍ତାନ, ବାହାୱଲପୁର ଏବଂ ସିଆଚେନ-ବାଲୋତ୍ରା ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରିଥିଲା। ସେ ଫୁସଫୁସ ଜନିତ ସମସ୍ୟାରେ ପୀଡ଼ିତ ହୋଇଥିଲେ। ଏହାପରେ ସେ ଡ୍ୟୁଟିରେ ଅନୁପସ୍ଥିତ ରହିଥିଲେ। ଫଳରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଏହା ସତ୍ତ୍ବେ ପାକିସ୍ତାନ ସାମରିକ ପ୍ରତିଷ୍ଠାନ ତାକୁ ବିଶ୍ବାସ କରୁଥିଲା। ଏଥିପାଇଁ ତାକୁ ଉପସାଗରୀୟ ଯୁଦ୍ଧ ସମୟରେ ଏକ ଗୁପ୍ତ ମିସନରେ ସାଉଦୀ ଆରବ ପଠା ଯାଇଥିଲା। କାନାଡାରେ ରହି ରିଅଲ ଇଷ୍ଟେଟ, ମାଂସ ପ୍ରକ୍ରିୟାକରଣ ଏବଂ ଗ୍ରୋସରି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ଜର୍ମାନୀ, ବ୍ରିଟେନ ଏବଂ ଆମେରିକାରେ ମଧ୍ୟ ବାସ କରିଛି। ୧୯୭୪ରୁ ୧୯୭୯ ପର୍ଯ୍ୟନ୍ତ ପାକିସ୍ତାନର ହାସନଅବଦଲସ୍ଥିତ କ୍ୟାଡେଟ୍‌ କଲେଜରେ ରାଣା‌ ଏବଂ ‌ହେଡଲି ଏକାଠି ପଢ଼ୁଥିଲେ। ହେଡଲିର ମା’ ଜଣେ ଆମେରିକୀୟ ଏବଂ ବାପା ଜଣେ ପାକିସ୍ତାନୀ ନାଗରିକ। ୨୦୦୩ରୁ ୨୦୦୪ ମଧ୍ୟରେ ହେଡଲି ଏଲ୍‌ଇଟିର ୩ଟି ତାଲିମ ଶିବିରରେ ଯୋଗ ଦେଇଥିଲା। ୨୬/୧୧ ଆକ୍ରମଣ ମାମଲାରେ ଏନ୍‌ଆଇଏ ଚାର୍ଜସିଟ୍‌ କହୁଛି ଯେ ହେଡଲି ଇମିଗ୍ରାଣ୍ଟ୍‌ ଲ ସେଣ୍ଟର୍‌ କମ୍ପାନିର ଜଣେ ପ୍ରତିନିଧି ବୋଲି ଦର୍ଶାଇ ଦିଲ୍ଲୀ, ମୁମ୍ବାଇ, ଜୟପୁର, ପୁଷ୍କର, ଗୋଆ ଏବଂ ପୁନେ ସମେତ ଅନେକ ଭାରତୀୟ ସହରକୁ ଯାଇଥିଲା। ରାଣା କହିଛି ଯେ ‌‌ଏହି କମ୍ପାନି ତାର ମାନସ ସନ୍ତାନ ଥିଲା। ଜଣେ ମହିଳା ତାହାକୁ ପରିଚାଳନା କରିଥିଲା। ଆତଙ୍କବାଦୀମାନେ ୨୬/୧୧ ଆକ୍ରମଣ ପୂର୍ବରୁ ଏହି ଅଫିସ୍‌ ଜରିଆରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳୁଥିଲା ବୋଲି ରାଣା କହିଛି। ରାଣା ପ୍ରକାଶ କରିଛି ଯେ ସେ ୨୦୦୮ ନଭେମ୍ବରରେ ଭାରତ ଆସିଥିଲା ଏବଂ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ ୨୦ ଏବଂ ୨୧ ତାରିଖରେ ସେ ମୁମ୍ବାଇ ପୋୱାଇ ଅଞ୍ଚଳରେ ଏକ ହୋଟେଲରେ ରହିଥିଲା।

Govt

Comments are closed.