ସିମ୍ଲା, ୨୫/୬ : ମୌସୁମୀର ଆଗମନ ସହ ଦେଶର ବିଭିନ୍ନ ଅଞ୍ଚଳରେ ଏବେ ପ୍ରବଳ ବର୍ଷା ହେଉଛି। ହିମାଚଳପ୍ରଦେଶର କୁଲ୍ଲୁରେ ଆଜି ବାଦଲ ଫଟା ବର୍ଷା ଯୋଗୁ ଜିବା ନଲାରେ ଅଚାନକ ବନ୍ୟା ଆସିଛି। କାଙ୍ଗ୍ରାର ଖନିୟାରା ଗ୍ରାମରେ ଅଚାନକ ବନ୍ୟା ଆସିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଟିମ୍ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁଯାୟୀ ଏକ ଶକ୍ତି ପ୍ରକଳ୍ପ ପାଇଁ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ଅଧିକାଂଶ ଶ୍ରମିକ ଭାସି ଯାଇଛନ୍ତି। ଉକ୍ତ ଘଟଣାରେ ବିଜେପି ସଭାପତି ଜେପି ନଡ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। କୁଲ୍ଲୁ ଜିଲ୍ଲାର ସେଞ୍ଜ ଉପତ୍ୟକାରେ ବାଦଲଫଟା ବର୍ଷା ହେବାପରେ ଏହି ଘଟଣା ଘଟିଛି। ସ୍ଥାନୀୟ ପ୍ରଶାସନ ଆଖପାଖ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ପାବର୍ତୀ ନଦୀରେ ଜଳସ୍ତର ବୃଦ୍ଧି ନେଇ ମଧ୍ୟ କର୍ତ୍ତୃପକ୍ଷମାନେ ସତର୍କ ସୂଚନା ଜାରି କରିଛନ୍ତି। ଲୋକମାନେ ସତର୍କ ରହିବାପାଇଁ ଏବଂ ନଦକୂଳ ଓ ଝରଣା ନିକଟକୁ ନଯିବାପାଇଁ ପ୍ରଶାସନ ସତର୍କତା ଜାରି କରିଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, ସେମାନେ ବିପର୍ଯ୍ୟୟ ପରିଚାଳନା ଟିମ୍ ସହ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ଯାଞ୍ଚ କରୁଛନ୍ତି। ପାଣିପାଗ ବିଭାଗ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି।

Comments are closed.