ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ କେମିଷ୍ଟ୍ରି ପ୍ରଫେସରଙ୍କୁ ଆଜୀବନ କାରାଦଣ୍ଡ

0

ନୂଆଦିଲ୍ଲୀ: ମମତା ପାଠକ ନାମକ ଜଣେ ପୂର୍ବତନ କେମିଷ୍ଟ୍ରି ପ୍ରଫେସର ଯିଏ ସ୍ବାମୀଙ୍କୁ ହତ୍ୟା ମାମଲାରେ ନିଜ ମାମଲା ନିଜେ ଲଢ଼ୁଥିଲେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଆଜି ୯୭ ପୃଷ୍ଠାର ଏକ ବିସ୍ତୃତ ରାୟ ଦେଇ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ଏବଂ କେମିଷ୍ଟ୍ରି ପ୍ରଫେସରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମମତା ପାଠକ ଛତ୍ରପୁରରେ ଜଣେ କେମିଷ୍ଟ୍ରି ପ୍ରଫେସର। ସେ ତାଙ୍କ ସ୍ବାମୀ ଅବସରପ୍ରାପ୍ତ ସରକାରୀ ଡାକ୍ତର ନିରଜ ପାଠକଙ୍କୁ ହତ୍ୟା ପାଇଁ ୨୦୨୨ରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଉକ୍ତ ଦମ୍ପତିଙ୍କ ମଧ୍ୟ‌ରେ ଦୀର୍ଘ ଦିନର ବିବାଦ ଥିଲା ଏବଂ ୨୦୨୧ରେ ଡାକ୍ତର ପାଠକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପୁଲିସ ପ୍ରଥମେ ବିଦ୍ୟୁତ ଆଘାତ ଯୋଗୁଁ ଡାକ୍ତର ପାଠକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଥିଲା। କିନ୍ତୁ ଫରେନ୍ସିକ ଏବଂ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମମତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲା। ପ୍ରଥମେ ଜିଲ୍ଲା କୋର୍ଟ ମେଡିକାଲ ରିପୋର୍ଟ ଏବଂ ଅନ୍ୟ ପ୍ରମାଣକୁ ଆଧାର କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ‌ତେବେ ମମତା ‌ଦୋଷୀସାବ୍ୟସ୍ତ ହେବାପରେ ବି ନିଜ ମାନସିକ ବିକାରଗ୍ରସ୍ତ ପିଲାର ଯତ୍ନ ନେବାପାଇଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ଏହି ସମୟରେ ସେ ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୀମିତ ନ୍ୟାୟିକ ସମର୍ଥନ ସହ ସେ କୋର୍ଟରେ ନିଜ ମାମଲା ନିଜେ ଲଢ଼ିବାପାଇଁ ନିଷ୍ପତ୍ତି ନେଇଥିଲେ। ଏକ ଅପ୍ରତ୍ୟାଶିତ କୋର୍ଟରୁମ୍‌ ମୁହୂର୍ତ୍ତରେ ମମତା ପାଠକ ଯୁକ୍ତି ବାଢ଼ିଥିଲେ ଯେ ବିଦ୍ୟୁତ୍‌ରେ ପୋଡ଼ିବା ଏବଂ ତାପ ଦ୍ବାରା ପୋଡ଼ିବା ସମାନ। କେବଳ ସଠିକ୍‌ ରସାୟନିକ ଅନୁଶୀଳନ ଦ୍ବାରା ହିଁ ଏହି ପାର୍ଥକ୍ୟ ଜଣାପଡ଼ିବ ବୋଲି ସେ କହିଥିଲେ। ତେବେ ମମତାଙ୍କ ଏଭଳି ବର୍ଣ୍ଣନା କୋର୍ଟଙ୍କୁ ଆ‌ଚମ୍ବିତ କରିଦେଇଥିଲା। ବିଚାରପତି ପଚାରିଥିଲେ ଆପଣ କ’ଣ ଜଣେ କେମିଷ୍ଟ୍ରି ପ୍ରଫେସର। ଉତ୍ତରରେ ସେ କହିଥିଲେ ହଁ। ଶୁଣାଣିର ଏକ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

Leave A Reply

Your email address will not be published.