ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ସାମାଜିକ କର୍ମୀ ତିସ୍ତା ସିତଲୱାଡ଼ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ନକଲି ପ୍ରମାଣ ରଖିଥିବା ମାମଲାରେ ତିସ୍ତାଙ୍କ ଭୂମିକା ପାଇଁ ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜୁଲାଇ ୧୯ରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ। ଜୁଲାଇ ୧୯ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି। ଗୁଜରାଟ ହାଇକୋର୍ଟ ତିସ୍ତାଙ୍କୁ ତୁରନ୍ତ ସରେଣ୍ଡର କରିବାପାଇଁ କହିଥିଲେ। ତେବେ ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଗୁଜରାଟ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ଦଙ୍ଗା ମାମଲାରେ ପ୍ରମାଣ ଜାଲ୍ କରି ତିସ୍ତା ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କୁ ଫସାଇବାପାଇଁ ଚାଲ୍ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଗୁଜରାଟ ପୁଲିସ ଏତଲା ରୁଜୁ କରିଥିଲା। ତଥ୍ୟ ପ୍ରମାଣ ଜାଲ୍ କରିଥିବା ମାମଲାରେ ତିସ୍ତା ଏବଂ ଗୁଜରାଟର ପୂର୍ବତନ ଶୀର୍ଷ ପୁଲିସ ଆର୍ବି ଶ୍ରୀକୁମାର ଗିରଫ ହୋଇଥିଲେ। ତିସ୍ତା ଗୁଜରାଟର ସାବରମତୀ ଜେଲ୍ରେ ଥିଲେ। ତେବେ ୨୦୨୨ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେବାପରେ ସେ ଜେଲ୍ରୁ ମୁକୁଳିଛନ୍ତି।

Comments are closed.