ଭୁବନେଶ୍ବର: ଏଣିକି ଶୃଙ୍ଖଳିତ ହେବ ବାଣୀବିହାର । ସୃଷ୍ଟିହେବ ଶୈଖିକ ବାତାବରଣ । କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର । ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ବ୍ୟାପକ ଚଢ଼ାଉ ଆରମ୍ଭ କରିଛି କମିସନରେଟ୍ ପୁଲିସ୍ । ବନ୍ଦ ଥିବା ହଷ୍ଟେଲ୍ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ । ଦିନ ୧୦.୩୦ ପରଠାରୁ ବିଭିନ୍ନ ହଷ୍ଟେଲରେ ଛପା ମାରିଛି ପୁଲିସ। ବିଶେଷକରି ବାଣୀବିହାରର ୪ଟି ହଷ୍ଟେଲକୁ ଖାଲି କରାଯାଉଛି । ୧, ୨, ୩ ଓ ୫ ନଂ ହଷ୍ଟେଲର ତାଲା ଭାଙ୍ଗି ବ୍ୟାପକ ଯାଞ୍ଚ ଚାଲିଛି । ଏଠାରେ ବର୍ଷ ବର୍ଷ ଧରି ଅଣଛାତ୍ର ଏପରିକି ପାଠ ସହିତ ସମ୍ପର୍କ ନଥିବା ଅନେକ ଲୋକ ରହି ଆସୁଥିଲେ । କିଏ ପାଣି ମିସ୍ତ୍ରୀ ହୋଇଥିବାବେଳେ କିଏ ପୁଣି ଗ୍ୟାରେଜ ରେ କାମ କରୁଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ ଛାତ୍ରମାନଙ୍କ ସହିତ ଏହିପରି କିଛି ଅଣଛାତ୍ର ମିଶି କଲେଜରେ ଗଣ୍ଡଗୋଳ ସହିତ ନିଶା କାରବାରରେ ମଧ୍ୟ ସମ୍ପୃକ୍ତି ରହିଥାନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ଆଜି କଠୋର ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।
ଆଜି ଅଣଛାତ୍ର ହଟାଓ ଅଭିଯାନରେ ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ଭି.ସି. ବରିଷ୍ଠ ଅଧ୍ୟାପକ,ଅଧ୍ୟାପିକା ମଧ୍ୟ ସାମିଲ ଅଛନ୍ତି । ଏହି କାରଣରୁ ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନସିଲ। ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି କାମରେ ନିୟୋଜିତ ହୋଇଛନ୍ତି ୫ ଏସିପି, ୪ ଜଣ ଆଇଆଇସି ଓ ୧୩ ଏଏସ୍ଆଇ। ଜୋନ ୫ ଏସିପି ବିଶ୍ବରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିବେ। ବରିଷ୍ଠ ପୁଲିସ ଅଧିକାରୀ ଅନୁପ କାନୁନଗୋ ସମ୍ପୂର୍ଣ୍ଣ ସୁରକ୍ଷା ଦୟିତ୍ୱକୁ ତୁଲାଉଥିବା ଜଣାଯାଇଛି ।
ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,ଦୀର୍ଘ ଦିନ ଧରି ହଷ୍ଟେଲ ଗୁଡିକୁ ଅଣଛାତ୍ର କବଜା କରି ରଖିଥିଲେ I ହଷ୍ଟେଲ ଖାଲି ପରେ ମରାମତି କରାଯିବ I ଅଣଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବା ପାଇଁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ କମିସନରେଟ୍ ପୋଲିସ ପକ୍ଷରୁ ସେମାନଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.