ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କଲେ କୋର୍ଟ

0

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ଦିଲ୍ଲୀ କୋର୍ଟ ବନ୍ଦ କରିଦେଇଛନ୍ତି। ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ) ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ କୌଣସି ପ୍ରମାଣ ପାଇନଥିବା ନେଇ କୋର୍ଟଙ୍କୁ ଅବଗତ କରିବାପରେ କୋର୍ଟ ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ବନ୍ଦ କରିଦେଇଛନ୍ତି। ଦିଲ୍ଲୀ ପୂର୍ତ୍ତ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମୟରେ ବିଭାଗରେ ବେଆଇନ ଭାବେ ପେସାଦାରମାନଙ୍କୁ ନିଯୁକ୍ତି ଦେଇଥିବା ନେଇ ଜୈନ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଦୁର୍ନୀତି ନିବାରଣ ଆଇନ ଅଧୀନରେ ଚାଲିଥିବା ଏହି ମାମଲାରେ ସିବିଆଇ ଦ୍ବାରା ଦାଖଲ କ୍ଲୋଜର୍‌ ରିପୋର୍ଟ ଗ୍ରହଣ କରି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଦିଗ୍‌ ବିନୟ ସିଂହ ଅନୁଧ୍ୟାନ କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମାମଲାରେ କୌଣସି ବ୍ୟକ୍ତିଙ୍କ ବିରୋଧରେ କିଛି ପ୍ରମାଣ ଦାଖଲ କରିନାହାନ୍ତି। ତେଣୁ କୌଣସି ପ୍ରମାଣ ନଥିବାରୁ ବର୍ତ୍ତମାନ ଦାଖଲ ହୋଇଥିବା କ୍ଲୋଜର୍‌ ରିପୋର୍ଟ ଗ୍ରହଣ କରାଗଲା। ଉଲ୍ଲେଖଯୋଗ୍ୟ ଯେ ସତ୍ୟେନ୍ଦ୍ର ଜୈନ ପୂର୍ତ୍ତ ମନ୍ତ୍ରୀ ଥିବାବେଳେ ୨୦୧୮ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅଭିଯୋଗ ଆଧାରରେ ଜୈନ ଏବଂ ପିଡବ୍ଲ୍ୟୁଡିର ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଥିଲା।

Leave A Reply

Your email address will not be published.