ସଂସଦରେ ଅଚଳାବସ୍ଥା ହଟିବ; ବିରୋଧୀଙ୍କର ପ୍ରସ୍ତାବରେ ରାଜି ହେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବାପାଇଁ ବିରୋଧୀ ସାଂସଦମାନେ ଉଭୟ ପକ୍ଷଙ୍କୁ ସୁହାଇବା ଭଳି ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ସରକାର ଗ୍ରହଣ କରିନେଇଥିବା ଜଣାପଡ଼ିଛି। ଅଗଷ୍ଟ ୧୧ ତାରିଖରେ ବିରୋଧୀ ସାଂସଦଙ୍କ ପ୍ରସ୍ତାବ ମୁ୍ତାବକ ମଣିପୁର ହିଂସା ସଂକ୍ରାନ୍ତରେ ଗୃହରେ ଆଲୋଚନା ପାଇଁ ସରକାର ରାଜି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ଭେଟିଥିଲେ। ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ନିଶ୍ଚିତ କରିବାପାଇଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଡାକିଥିବା ଏକ ବୈଠକରେ ବିରୋଧୀ ସାଂସଦମାନେ ଯୋଗ ନଦେବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ବିରୋଧୀ ସାଂସଦଙ୍କୁ ଭେଟି ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ବୈଠକରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ପ୍ରସ୍ତାବ ଦେଇଥିଲେ ଯେ ଅଚଳାବସ୍ଥା ଦୂର କରିବାପାଇଁ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ। ବିରୋଧୀ ସାଂସଦମାନେ ଅଚଳାବସ୍ଥା ହଟାଇବା ପାଇଁ ଉଭୟ ପକ୍ଷକୁ ସୁହାଇବା ଭଳି ଏହି ପ୍ରସ୍ତାବ ଦେଇଥିଲେ। ରୁଲ୍ ୨୬୭ ଅଧୀନରେ ଗୃହର ସମସ୍ତ କାର୍ଯ୍ୟ ବାତିଲ କରି କେବଳ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସାଂସଦ ଚାହିଥିଲେ। କିନ୍ତୁ ସରକାର ରୁଲ୍ ୧୭୬ ଅଧୀନରେ ମଣିପୁର ପ୍ରସଙ୍ଗରେ ସ୍ବଳ୍ପ ସମୟର ଆଲୋଚନା ଚାହୁଥିଲେ। କିନ୍ତୁ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ହଟାଇବାପାଇଁ ସରକାର ଶେଷରେ ବିରୋଧୀଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି।

Comments are closed.