ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି , ଗୋପୀନାଥ ମହାନ୍ତି

0

ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ ଗୋପୀନାଥ ମହାନ୍ତି । ଓଡ଼ିଆ ଔପନାସିକ ଜଗତର ସେ ହେଉଛନ୍ତି ଜଣେ ବିଶିଷ୍ଟ ଲେଖକ ଯାହାର କାଳଜୟୀ ରଚନାବଳୀକୁ ଆଜି ବି ଲୋକ ହୃଦୟଦେଇ ଭଲପାଇଥାଆନ୍ତି । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟାକୁ ପରିପ୍ରକାଶ କରିବାରେ ବେଶ୍‌ ପାରଙ୍ଗମ । ତାଙ୍କର ଅନେକ ଲେଖା ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୧୪ ମସିହା ଏପ୍ରିଲ ୨୦ତାରିଖରେ ଜନ୍ମ ହୋଇଥିଲେ ଏହି ମହାନ ଔପନାସିକ । ପ୍ରସିଦ୍ଧ ସାହିତି୍ୟକ କାହ୍ନୁଚରଣ ମହାନ୍ତି ଥିଲେ ତାଙ୍କର ବଡ଼ ଭାଇ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ । ଲେଖାଲେଖି ପ୍ରତି ତାଙ୍କର ପିଲାଦିନୁ ଦୁର୍ବଳତା ରହିଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ । ତାଙ୍କର ଅନେକ ପୁସ୍ତକ ସହିତ ଅନୁବାଦ ପୁସ୍ତକ ମଧ୍ୟ ରହିଛି ଯାହା ତାଙ୍କର ଅନନ୍ୟ ପ୍ରତିଭାର ପରିପ୍ରକାଶ କରିଥାଏ । ତାଙ୍କର ସାହିତ୍ୟକ୍ଷେତ୍ରରେ ଥିବା ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ୧୯୮୧ରେ ପଦ୍ନ ଭୂଷଣ, ୧୯୭୪ରେ “ମାଟିମଟାଳ’ ପାଇଁ ଜ୍ଞାନପୀଠ, ୧୯୫୫ରେ ତାଙ୍କ ଉପନ୍ୟାସ “ଅମୃତର ସନ୍ତାନ ‘ ପାଇଁ କେନ୍ଦ୍ର ସାହିତ ଏକାଡୋମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଏହି ବିଶିଷ୍ଟ ଲେଖକଙ୍କର ୧୯୯୧ ମସିହା ୨୦ ଅଗଷ୍ଟରେ ଦେହାନ୍ତ ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.