ଜଣେ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମାଳତୀ ଚୌଧୁରୀ ଘରେ ଘରେ ପରିଚିତ । ତାଙ୍କ ନିସ୍ୱାର୍ଥ ସେବା ମନୋଭାବ ଆଜି ବି ଲୋକଙ୍କୁ ଅନୁପ୍ରାଣିତ କରିଥାଏ । ମାଳତୀ ଚୌଧୁରୀ ୨୬ ଜୁଲାଇ ୧୯୦୪ରେ ପିତା ବାରିଷ୍ଟର କୁମୁଦ ନାଥ ସେନ ଓ ମାତା ସ୍ନେହଲତାଙ୍କର କୋଳ ମଣ୍ଡନ କରିଥିଲେ । ମାତ୍ର ଅଢେଇ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ଜୀବନ ଆରମ୍ଭ କରିଥିଲେ । ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ ।ପ୍ରକୃତରେ ତାଙ୍କର ଶିଶୁକନ୍ୟା ତାଙ୍କୁ “ନୁମା’ ଡାକୁଥିବାରୁ ଆଶ୍ରମରେ ସମସ୍ତେ ତାଙ୍କୁ ନୁମା ବୋଲି ଡାକିବାକୁ ଲାଗିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ବହୁ ମାତ୍ରାରେ ଜଡ଼ିତ ଥିଲେ । ମାଳତୀ ଦେବୀଙ୍କର ବିପ୍ଳବୀ ଚିନ୍ତାଧାରାକୁ ଅଧିକ ଉତ୍ସାହିତ କରିଥିଲେ ତାଙ୍କ ସ୍ୱାମୀ ନବକୃଷ୍ଣ ଚୌଧୁରୀ । ଗ୍ରାମରେ ରହିବବେଳେ ସେ ଘର ଘର ବୁଲି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ସହେଯାଗ କରିବା ପାଇଁ ଅନୁରୋଧ କରୁଥିଲେ । ଓଡ଼ିଶା ତାହାଙ୍କର କର୍ମଭୂମି ପାଲଟିଥିଲା । ଚୌଧୁରୀ ଦମ୍ପତି ଏକ ଛୋଟ ଗାଁ ଅଣଖିଆରେ ବସବାସ କରୁଥିଲେ, ଯାହା ଏବେକାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ । ସେ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଯେ କିଶୋରୀ ବୟସରେ ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ । ୧୯୨୦ ମସିହା ଅସହେଯାଗ ଆନ୍ଦୋଳନରେ ସେ ଭାଗନେଇଥିଲେ । ନିଜର ପ୍ରଚେଷ୍ଟାରୁ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱର୍ ମହିଳାଙ୍କୁ ଆଣି ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ । ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ । ଏହି ମହାନ ନାରୀ ନେତ୍ରୀଙ୍କର ୧୫ ମାର୍ଚ୍ଚ ୧୯୯୮ରେ ଦେହାନ୍ତ ହୋଇଥିଲା ।