ବେରୁଟ୍: ଲେବାନନ୍ରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲ୍ ନିଜର ଆକ୍ରମଣକୁ ଜୋରଦାର କରିଛି। ଦକ୍ଷିଣ ଲେବାନନ୍ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍ ଯୁଦ୍ଧବିମାନ ଆକ୍ରମଣ କରିଛି। ଏଥିରେ ଅତିକମ୍ରେ ୧୮୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨୭ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ, ମହିଳା ଓ ସ୍ବାସ୍ଥ୍ୟକର୍ମୀ ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ହେବା ଦିନଠାରୁ ଲେବାନନରେ ଅବସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ଏହା ସବୁଠୁ ଭୟଙ୍କର ଆକ୍ରମଣ। ଅପରପକ୍ଷରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖପାତ୍ର ଡାନିଏଲ୍ ହାଗାରି କହିଛନ୍ତି, ଲେବାନନ୍ର ବେକା ଉପତ୍ୟକା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍ର ଯୁଦ୍ଧବିମାନ ପ୍ରସ୍ତୁତ ଅଛନ୍ତି। ବେକା ଉପତ୍ୟକାରେ ଥିବା ହେଜବୁଲ୍ଲା ସଂଗଠନର ଆଡ଼ା, ସେମାନଙ୍କ ଅସ୍ତ୍ରଶସ୍ତ୍ରାଗାର ରହିଛି। ପୂର୍ବାହ୍ଣରେ ବିଣ୍ଟ୍ ଜାବୈଲ୍, ଐତାରୌନ୍, ମାଜଦାଲ୍ ସେଲିମ୍, ହୁଲା, ତୁଆରା, କିଲାଇଲେ, ନାବି ଚିତ୍, ତାରାୟା, ସେମ୍ଷ୍ଟାର, ହାରବାତା, ଲିବ୍ବାୟା ଓ ସୋମୋର ଉପରେ ଆକ୍ରମଣ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳରେ ପରିଣତ କରିବା ପାଇଁ ଲେବାନନର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ବେରୁଟ୍, ତ୍ରିପୋଲି ସମେତ ପୂର୍ବ ଏବଂ ଦକ୍ଷିଣ ଏସ୍ରାଏଲରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ବିଦ୍ୟାଳୟରେ ଆଶ୍ରୟ ଦେବାକୁ କୁହାଯାଇଛି।

Comments are closed.