ଭୁବନେଶ୍ଵର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବ। ଆସନ୍ତା ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
ସେପଟେ ଆଜି ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି କଳାହାଣ୍ଡି , କନ୍ଧମାଳ , ରାୟଗଡା, ଗଜପତି , ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
