ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ପ୍ରଭାବ ରୁ ରାଜ୍ୟରେ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବିଶେଷକରି ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଫଳରେ । ବୈତରଣୀ,ସୁବର୍ଣ୍ଣରେଖା ଜଳକା ସହିତ ଅନ୍ୟ କେତୋଟି ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ତେବେ ଗତକାଲି ଦିନ ତମାମ ବୈତରଣୀ ନଦୀର ଜଳସ୍ତର ବଢିବାକୁ ଲାଗିଥିବା ବେଳେ ରାତି ୧୨ରୁ ଏହା କମିବାକୁ ଲାଗିଛି । ଗତକାଲି ବିପଦ ସଂକେତ ଉପରେ ବହୁଥିବା ବୈତରଣୀ ନଦୀ ଏବେ ସତର୍କ ସୂଚନା ତଳକୁ ଖସିଛି । ଆନନ୍ଦପୁରଠାରେ ନଦୀର ସତର୍କ ସୂଚନା ୩୭.୪୮୦ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୭.୦୪ ଅଛି । ସେହିପରି ସୁବର୍ଣ୍ଣରେଖାରେ ଜଳ ସ୍ତର ମଧ୍ୟ ହ୍ରାସ ପାଇ ୯.୮୦ ମିଟର ଅଛି । ଯାହା ବିପଦ ସଂକେତ ତଳେ ରହିଛି । ଆଜି ଅପରାହ୍ନରେ ସୁଦ୍ଧା ଏହା ସତର୍କ ସଂକେତ ତଳକୁ ବି ପଳେଇବ। ପାଣି ନିଷ୍କାସନ ହେବାକୁ ସମୟ ଲାଗିବ,ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
ସେହିପରି ଜଳକା ସତର୍କ ସଂକେତ ପାଖାପାଖି ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ଅଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । ତଳିଆ ଅଞ୍ଚଳରୁ ପାଣି ଧୀରେ ଧୀରେ ବାହାରିବ । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଘାଇ ହୋଇନାହିଁ । କେବଳ ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରା ଠାରେ ଏକ ଘାଇ ହୋଇଥିଲା । ହୀରାକୁଦରେ ୨୦ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୩.୧୭ ଲକ୍ଷ ସେନସସ୍ ପ୍ରବେଶ କରି ୩.୪୫ ଲକ୍ଷ ସେନସସ୍ ନିଷ୍କାସନ ହେଉଛି । ଏହା ମୁଣ୍ଡଳୀରେ ୫.୧୮ ଲକ୍ଷ ସେନସସ୍ ପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ. ବ୍ରାହ୍ମଣୀ ରେଙ୍ଗାଳିର ତିନୋଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବ୍ରାହ୍ମଣୀ ଜେନାପୁରରେ ବି ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ, ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଚାରୋଟି ବ୍ଲକ ଯେପରି ଜଳେଶ୍ୱର, ଭୋଗରାଇ, ବସ୍ତା ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ତେବେ ଆସନ୍ନ ବନ୍ୟା ପରିସ୍ଥିତି ର ବିପଦ ଟଳି ଥିବା ବେଳେ ତଳି ଅଞ୍ଚଳର ଚାଷ ଜମି ବନ୍ୟା ପାଣିରେ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।