ଭୁବନେଶ୍ୱର : ସର୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଜଧାନୀରେ ଆୟୋଜିତ ହୋଇ ଯାଇଛି ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଦୌଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ବାବୁ ସିଂହ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ଏଥିରେ ଏକତାର ଶପଥ କରାଇବା ପରେ ନିଜେ ମାରାଥନ୍ରେ ଦୌଡିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ରାଜଭବନ ଯାଏ ଏକତା ଦୌଡ଼ ହୋଇଥିଲା । ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ ଏହି କାର୍ଯ୍ୟକ୍ରମ ହେଉଛି । ମାରାଥନରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କ୍ରୀଡ଼ା ସଂଗଠନର ୨ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି।
ସୂଚନାନୁସାରେ,ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଜୟନ୍ତୀ। ତେବେ ଏଥର ଅକ୍ଟୋବର ୩୧ ଦୀପାବଳି ଛୁଟିଦିନରେ ଜୟନ୍ତୀ ପଡୁଥିବାରୁ ଅକ୍ଟୋବର ୨୯ରେ ଆୟୋଜିତ ହେଉଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ପୂର୍ବରୁ ଏ ନେଇ ନିଜ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comments are closed.