ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ନିକଟରେ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଘଟଣାରେ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର ଦେଇଥିବା ଏକ ବିବାଦୀୟ ଟିପ୍ପଣୀ ପାଇଁ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଘଟଣାକୁ ଗୌଣ କରି ମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ଭଳି ବଡ଼ ସହର ଗୁଡ଼ିକରେ ଏଭଳି ଘଟଣା ଘଟିବା ସାଧାରଣ କଥା। ଯାହା ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ପଡ଼ିବ ଆଇନ ଅନୁଯାୟୀ ତାହା ହେବ। ସହରରେ ପାଟ୍ରୋଲିଂ ବୃଦ୍ଧି କରିବାପାଇଁ ମଧ୍ୟ ମୁଁ କମିନସରଙ୍କୁ ନିର୍ଦ୍ଦେଶ ଦେଇଛି। ତେବେ ମନ୍ତ୍ରୀଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପ୍ରିଲ ୩ ତାରିଖରେ ଘଟଣାଟି ଘଟିଛି। ସୁଦ୍ଦାଗୁଣ୍ଟେପଲ୍ୟାର ଭାରତୀ ଲେଆଉଟ୍ ଅଞ୍ଚଳର ଏକ ଜନଶୂନ୍ୟ ସ୍ଥାନରେ ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ଏନେଇ ସେୟାର ହୋଇଥିବା ଏକ ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ସଂକୀର୍ଣ୍ଣ ରାସ୍ତାରେ ଚାଲି ଚାଲି ଯାଉଥିବା ୨ ଜଣ ମହିଳାଙ୍କୁ ପିଛା କରୁଛନ୍ତି ଏବଂ ଜଣେ ମହିଳାଙ୍କୁ ସେ ଏକ କାନ୍ଥରେ ପିଟି ଚାଲି ଯାଉଛନ୍ତି। ବେଙ୍ଗାଲୁରୁ ପୁଲିସ ଏହି ଫୁଟେଜ୍ ଆଧାରରେ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି।

Comments are closed.