ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ମିଜୋରାମରେ ନିର୍ବାଚନ ପ୍ରଚାର କରିଛନ୍ତି। ମିଜୋରାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ମୋଦୀ ମଣିପୁର ହିଂସା ଅପେକ୍ଷା ଇସ୍ରାଏଲ-ହମାସ ଯୁଦ୍ଧରେ ଅଧିକ ଆଗ୍ରହୀ। ମତେ ଏହା ଖୁବ୍ ଆଶ୍ଚର୍ଯ୍ୟ ଲାଗୁଛି ଯେ ଭାରତ ସରକାର ଇସ୍ରାଏଲରେ କ’ଣ ଘଟୁଛି ସେଥିପାଇଁ ବହୁତ ଆଗ୍ରହୀ କିନ୍ତୁ ମଣିପୁର ପ୍ରସଙ୍ଗରେ ଆଦୌ ଆଗ୍ରହୀ ନାହାନ୍ତି। ଗତ ଜୁନ୍ରେ ରାହୁଲ ମଣିପୁର ଗସ୍ତ କରିବା ସମୟର କଥା ମଧ୍ୟ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି। ରାହୁଲ କହିଛନ୍ତି, ମଣିପୁରରେ ସେ ଯାହା ଦେଖିଛନ୍ତି ତାହା ସେ ବିଶ୍ବାସ କରିପାରିନାହାନ୍ତି। ମଣିପୁର ଏବେ ଆଉ ଗୋଟିଏ ରାଜ୍ୟ ହୋଇନାହିଁ। ଏହା ୨ଟି ରାଜ୍ୟରେ ପରିଣତ ହୋଇଛି। ଲୋକଙ୍କୁ ହତ୍ୟା କରାଯାଉଛି, ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି ଏବଂ ଶିଶୁଙ୍କୁ ହତ୍ୟା କରାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ସେଠାକୁ ଯିବାପାଇଁ ଗୁରୁତ୍ବପୂର୍ଣ୍ଣ ମନେ କରିନାହାନ୍ତି ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ନଭେମ୍ବର ୭ ତାରିଖରେ ୪୦ ଆସନ ବିଶିଷ୍ଟ ମିଜୋରାମରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ରାହୁଲ ମିଜୋରାମରେ ନିର୍ବାଚନ ପ୍ରଚାର କରିଛନ୍ତି।

Comments are closed.