ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଘାନାର ଜାତୀୟ ସମ୍ମାନ ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରାଯାଇଛି। ସୁଶାସନ ଓ ପ୍ରଭାବଶାଳୀ ବୈଶ୍ବିକ ନେତୃତ୍ବ ପାଇଁ ମୋଦୀଙ୍କୁ ଘାନାର ଜାତୀୟ ସମ୍ମାନ ମିଳିଛି। ଘାନା ରାଷ୍ଟ୍ରପତି ଜନ ଡାମାନି ମହାମା ମୋଦୀଙ୍କ ପଶ୍ଚିମ ଆଫ୍ରିକୀୟ ରାଷ୍ଟ ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିପାଇଁ କୃତଜ୍ଞତା ଜ୍ଞାପନ କରି ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ ମତେ ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ ପ୍ରଦାନ କରାଯାଇଥିବାରୁ ମୁଁ ଘାନା ନାଗରିକ ଓ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମ୍ମାନ ଦେଶର ଯୁବଗୋଷ୍ଠୀର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସେମାନଙ୍କ ଆକାଂକ୍ଷା ପାଇଁ ସମର୍ପିତ। ଭାରତ ଓ ଘାନା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଆମ ସାଂସ୍କୃତିକ ପରମ୍ପରା ପ୍ରତି ଏହା ସମର୍ପିତ ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଏହି ସମ୍ମାନ ମଧ୍ୟ ଭାରତ- ଘାନା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାପାଇଁ ଏକ ଦାୟିତ୍ବ। ଭାରତ ସର୍ବଦା ଘାନାର ଲୋକଙ୍କ ସହ ରହିଛି ଏବଂ ଏହା ଏକ ବିଶ୍ବସ୍ତ ବନ୍ଧୁ ଏବଂ ବିକାଶଶୀଳ ସହଯୋଗୀ ଭାବେ ନିଜର ଅବଦାନ ଜାରି ରଖିବ।

Comments are closed.