ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କଥା ହୋଇଛନ୍ତି। ନିକଟରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ହୋଇଥିବା ଆଲୋଚନା ଆଜି ଦୁଇ ନେତାଙ୍କ କଥାବାର୍ତ୍ତାର ମୁଖ୍ୟ ପ୍ରସଙ୍ଗ ଥିଲା। ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଲଗାତାର ୟୁକ୍ରେନ ସଙ୍କଟର ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କହିଆସିଛି। ଏହି ଦିଗରେ ସମସ୍ତ ଉଦ୍ୟମକୁ ଭାରତ ସମର୍ଥନ କରିବ। ମୋଦୀ ଏନେଇ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କ ଫୋନ୍ କଲ୍ ପାଇଁ ଏବଂ ଆଲାସ୍କାରେ ଟ୍ରମ୍ପଙ୍କ ସହ ବୈଠକ ସଂକ୍ରାନ୍ତରେ ସୂଚନା ପାଇଁ ଧନ୍ୟବାଦ। ଉଲ୍ଲେଖଯୋଗ୍ୟ, ଚଳିତମାସ ୮ ତାରିଖରେ ପୁଟିନ ଓ ମୋଦୀଙ୍କ ମଧ୍ୟରେ ଟେଲିଫୋନରେ ଆଲୋଚନା ହୋଇଥିଲା। ତେଣୁ ଗତ ୧୦ ଦିନ ମଧ୍ୟରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହା ଦ୍ବିତୀୟ ଆଲୋଚନା।
