ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କବାଦୀ ମହମ୍ମଦ ଆରିଫର ରାଜକ୍ଷମା ଆବେଦକୁ ଅଗ୍ରାହ୍ୟ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୧୯୯୯ରେ ଲାଲକିଲ୍ଲା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ନାଗରିକ ମହମ୍ମଦ ଆରିଫ୍ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିଲେ। କିନ୍ତୁ ଏହି ଦଣ୍ଡରେ କୋହଳ କରିବାକୁ ଆରିଫ୍ଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗ୍ରାହ୍ୟ କରିଦେଇଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କ ଏହା ଦ୍ବିତୀୟ ରାଜକ୍ଷମା ଅଗ୍ରାହ୍ୟ। ମାମଲାର ବିବରଣୀ ଅନୁସାରେ, ୧୯୯୯ରେ ପାକିସ୍ତାନର ମହମ୍ମଦ ଆରିଫ୍, ଆବୁ ସାଦ୍, ଆବୁ ବିଲାଲ୍ ଓ ଆବୁ ହାଇଦର ଲାଲକିଲ୍ଲା ଆକ୍ରମଣ କରିବା ଉଦ୍ଦେଶ୍ୟରେ ଭାରତରେ ପ୍ରବେଶ କରିଥିଲେ। ଚଣ୍ଡିଗଡ଼ରେ ଆକ୍ରମଣର ରୂପରେଖ ପ୍ରସ୍ତୁତ କରିଥିଲେ ଓ ୨୨ ଡିସେମ୍ବର ୨୦୦୦ରେ ଲାଲକିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏଥିରେ ଲାଲକିଲ୍ଲା ସୁରକ୍ଷା ଦାୟିତ୍ବରେ ଥିବା ସେନାବାହିନୀର ୭ ରାଜପୁତନା ରାଇଫଲ୍ସର ତିନି ଯବାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ୪ ଦିନ ପରେ ଆରିଫ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଆତଙ୍କବାଦୀଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଅକ୍ଟୋବର ୨୦୦୫ରେ ନିମ୍ନ ଅଦାଲତ ମାମଲାର ବିଚାର କରି ମହମ୍ମଦ ଆରିଫ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୧ରେ ସୁପ୍ରିମ୍କୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ୨୦୧୨, ୨୦୧୪, ୨୦୨୨ରେ ଆରିଫ୍ଙ୍କ ପକ୍ଷରୁ ପୁନଃବିଚାର ଆବେଦନ ଦାଖଲ କରିଥିଲେ ମଧ୍ୟ ସବୁଥର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି ଆସୁଥିଲେ। ଶେଷରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ ହୋଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ କରିଦିଆଯାଇଛି।

Govt

Comments are closed.