ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଭିକ୍ରୋଲି ପାର୍କସାଇଟର ବର୍ଷା ନଗରରେ ଏକ ପାହାଡ଼ରୁ ମାଟି ଏବଂ ପଥର ଅତଡ଼ା ଧସି ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଆମେ ଏଥର କର୍ତ୍ତୃପକ୍ଷଙ୍କଠାରୁ କୌଣସି ସୂଚନା ପାଇଲୁ ନାହିଁ। ଆମେ ଆମ ଘରେ ଶୋଇଥିଲୁ, ହଠାତ୍ ରାତି ପ୍ରାୟ ୨.୩୦ ସମୟରେ ଗୋଟିଏ ଘର ଉପରେ ଭଗ୍ନାବଶେଷ ଖସି ପଡ଼ିଲା ଏବଂ ଗୋଟିଏ ପରିବାର ଫସି ରହିଗଲା। ସମସ୍ତେ ଦୌଡ଼ିବା ଆରମ୍ଭ କରିଦେଲେ। ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷରେ ଫସି ରହିଥିବା ପରିବାରକୁ ବାହାର କରିଥିଲେ। ଏହି ଘଟଣାରେ ସୁରେଶ ମିଶ୍ର (୫୦) ଏବଂ ତାଙ୍କ ଝିଅ ଶାଲୁ (୧୯) ଘଟଣାସ୍ଥଳେ ମୃତ୍ୟୁବରଣ କାରିଛନ୍ତି। ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଆରତୀ (୪୫) ଏବଂ ପୁଅ ଋତୁରାଜ (୨୦) ଏହି ଘଟଣାରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
