ବେଙ୍ଗାଲୁରୁ: ମୁଦା (ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥରିଟି) ଜମି ଆବଣ୍ଟନ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ପରିବାରକୁ କ୍ଲିନ୍ଚିଟ୍ ମିଳିଛି। ସିଦ୍ଦରମୈୟା ଓ ତାଙ୍କ ସ୍ତ୍ରୀ ପାର୍ବତୀ ବିଏମ୍ କୌଣସି ଅନୈତିକତା କରିନାହାନ୍ତି ବୋଲି ମାମଲାର ତଦନ୍ତ କରୁଥିବା ନ୍ୟାୟିକ ଆୟୋଗ କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍ ଦେଶାଇଙ୍କ ନେତୃତ୍ବାଧୀନ ନ୍ୟାୟିକ ଆୟୋଗ ଜୁଲାଇ ୩୧ରେ ତାଙ୍କ ରିପୋର୍ଟ ମୁଖ୍ୟ ସଚିବ ଶାଲିନୀ ରଜନୀଶଙ୍କୁ ପ୍ରଦାନ କରିଛନ୍ତି। ଏହି ମାମଲାରେ କିଛି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିରେ ସୁପାରିସ କରାଯାଇଛି। ଏଥିସହ ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହେବ ବୋଲି କୁହାଯାଇଛି। ରିପୋର୍ଟ ଏବଂ ଏଥିରେ ହୋଇଥିବା ସୁପାରିସକୁ ଗ୍ରହଣ କରାଯାଇଥିବା ଆଇନ ମନ୍ତ୍ରୀ ଏଚ୍କେ ପାଟିଲ କହିଛନ୍ତି। ସିଦ୍ଦରମୈୟାଙ୍କ ସ୍ତ୍ରୀ ପାର୍ବତୀଙ୍କ ୩.୧୬ ଏକର ଜମି ୩,୨୪,୭୦୦ ଟଙ୍କାରେ ମୁଦା ପକ୍ଷରୁ ଅଧିଗ୍ରହଣ କରାଯାଇଥିବାବେଳେ କ୍ଷତିପୂରଣ ବାବଦରେ ତାଙ୍କୁ ମହୀଶୂରର ଏକ ବଜାରରେ ଦିଆଯାଇଥିବା ୧୪ଟି ଆବାସିକ ଜାଗାର ମୂଲ୍ୟ ପାଖାପାଖି ୫୬ କୋଟି ଟଙ୍କା ହେବ। ସିଦ୍ଦରମୈୟା ରାଜନୈତିକ ପ୍ରଭାବ ବ୍ୟବହାର କରି ୧୪ଟି ଜାଗା ତାଙ୍କ ନାଁରେ କରାଇନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
