କଟକ: ଦଶହରା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମା’ଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଗଲାଣି । କିଛି ମଣ୍ତପରେ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ହୁଏ । କିନ୍ତୁ ନନ୍ଦ ଉତ୍ସବରେ ମାଟି ଅନୁକୂଳ ପର୍ବର ପ୍ରକୃତ ସ୍ୱରୂପ ଦେଖିବାକୁ ମିଳେ ।
ରୀତିନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଆଜି ନନ୍ଦ ଉତ୍ସବ ଅବସରରେ ଅନେକ ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂଜା ମଣ୍ଡପ କର୍ମକର୍ତ୍ତା ଝାଞ୍ଜ କୀର୍ତ୍ତନ କରି ପବିତ୍ର ମହାନଦୀ ଓ କାଠଯୋଡ଼ି ନଦୀ କୂଳରୁ ମାଟି ଉଠାଇଛନ୍ତି । ଅନ୍ୟ କେତେକ ମଣ୍ଡପ ରାଧାଷ୍ଟମୀରେ ମା’ ଙ୍କର ମୁଣ୍ମୟୀ ମୂର୍ତ୍ତି ପାଇଁ ମାଟି ଉଠାଇବାର ବିଧି ରଖିଛନ୍ତି ।
ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ଆରମ୍ଭ ହେବ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ । ବିଭିନ୍ନ ପର୍ଯ୍ୟାୟରେ ମା’ଙ୍କ ମୂର୍ତ୍ତି ତିଆରି ହେବ। ପ୍ରଥମେ ଏକ ମାଟିଆ ଓ ପରେ ଦୁଇ ମାଟିଆ ନିର୍ମାଣ ହେବା ପରେ ଖଡ଼ି ଲାଗି ଅମାବାସ୍ୟା ଦିନ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବ । ଏହା ପରେ ମା’ଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ବିଜୟା ଦଶମୀର ପଞ୍ଚ ଦିନ ପୂର୍ବରୁ ମା’ଙ୍କୁ ବସ୍ତ୍ର ଓ ଆଭୂଷଣ ଇତ୍ୟାଦି ଲାଗି କରାଯିବ ।
