ମୁମ୍ବାଇ: ମହାରାଷ୍ଟ୍ରରେ ଗାଈକୁ ‘ରାଜ୍ୟମାତା’ର ପାହ୍ୟା ପ୍ରଦାନ କରାଯାଇଛି। ଏହାସହ ଦେଶୀ ଗାଈ ପାଳନ ଓ ରକ୍ଷଣାବେକ୍ଷଣ ନିମନ୍ତେ ଏକାଧିକ ଯୋଜନା ଘୋଷଣା କରାଯାଇଛି। ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି, ମହାରାଷ୍ଟ୍ରର ମେଣ୍ଟ ସରକାର ଗୋମାତାର ସୁରକ୍ଷା ନିମନ୍ତେ ଗାଈକୁ ‘ରାଜ୍ୟମାତା’ ପାହ୍ୟା ପ୍ରଦାନ କରିଛନ୍ତି। ଦେଶୀଗାଈ ଆମ କୃଷକଙ୍କ ନିମନ୍ତେ ଆଶୀର୍ବାଦ ସ୍ବରୂପ। ଏଣୁ ଗାଈକୁ ଏହି ସମ୍ମାନଜନକ ପର୍ଯ୍ୟାୟଭୁକ୍ତ କରାଯାଇଛି। ଏହାସହ ଗୋଶାଳାଗୁଡ଼ିକରେ ଦେଶୀଗାଈର ପାଳନ ନିମନ୍ତେ ଦୈନିକ ପ୍ରତିଗାଈ ପିଛା ଆର୍ଥିକ ସହାୟତା ଘୋଷଣା କରାଯାଇଛି। ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଗୋଶାଳାରେ ଗୋପାଳନ ନିମନ୍ତେ ପ୍ରତି ଗାଈ ପିଛା ଦିନକୁ ୫୦ଟଙ୍କା ସବ୍ସିଡି ପ୍ରଦାନ କରାଯିବ। ଯେହେତୁ ଗୋଶାଳା ଗୋପାଳନ ଦ୍ବାରା କୌଣସି ଲାଭ ପାଉନାହାନ୍ତି, ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଗୋପାଳ ଓ ଗୋଶାଳା ବ୍ୟବସ୍ଥା ସଶକ୍ତ ହେବ। ଏହି ଯୋଜନା ମହାରାଷ୍ଟ୍ର ଗୋସେବା କମିସନ୍ ଦ୍ବାରା ଅନ୍ଲାଇନ୍ରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।

Comments are closed.